ଅମଜାଦ୍ ଙ୍କ ଜନ୍ମ ଭାରତ ବିଭାଜନ ପୂର୍ବରୁ ୧୯୪୩ ମସିହାରେ ଲାହୋର୍ ଠାରେ ହୋଇଥିଲା । ଅମଜାଦ୍ଙ୍କ ପିତା ଥିଲେ ଭାରତୀୟ ଚଳଚିତ୍ର ଜଗତ ଜଣାଶୁଣା ଅଭିନେତା । ତାଙ୍କୁ ଜୟନ୍ତ ନାମରେ ସିନେପ୍ରେମୀ ଜାଣନ୍ତି । ଅଭିନେତା ଭାବରେ ଅମଜାଦଙ୍କ ଖାଁଙ୍କର ପ୍ରଥମ ଚଳଚିତ୍ର ଥିଲା ‘ଶୋଲେ’ ଏବଂ ଏହି ଚଳଚିତ୍ରଟି ଶତୃଘ୍ମ ସିହ୍ନାଙ୍କ କାରଣରୁ ମିଳିଥିଲା । ପ୍ରକୃତରେ ଶୋଲେ ଚଳଚିତ୍ରର ଗବ୍ୱର ସିଂହ ଭୂମିକା ଶତୃଘ୍ନ ସିହ୍ନାଙ୍କୁ ମିଳିଥିଲା ହେଲେ ସମୟ ଅଭାବରୁ ଶତୃଘ୍ନ ଶୋଲେ ରେ ଅଭିନୟ କରି ପାରିନଥିଲେ ଫଳରେ ଅମଜାଦ୍ ଙ୍କୁ ଗବ୍ୱର ସିଂହ ଭୂମିକା ମିଳିଗଲା ।
ଅଭିନୟ ଜଗତକୁ ଆସିବା ପୂର୍ବରୁ ଅମଜାଦ୍ ପ୍ରସିଦ୍ଧ ନିର୍ଦ୍ଦେଶକ କେ.ଆସିଫଙ୍କର ସହକାରୀ ଭାବେ କାର୍ଯ୍ୟ କରୁଥିଲେ । ସହକାରୀ ଭାବେ କାମ କରୁକରୁ କେ. ଆସିଫଙ୍କ ଚଳଚିତ୍ର ‘ଲଭ ଆଣ୍ଡ ଗଡ’ ରେ ଆମଜାଦ୍ଙ୍କୁ ଛୋଟିଆ ଭୂମିକା ଟିଏ ମିଳିଥିଲା ପରେ ଚେତନ ଆନନ୍ଦଙ୍କ ‘ହିନ୍ଦୁସ୍ତାନ କି କସମ’ଚଳଚିତ୍ରରେ ରେ ଅମଜାଦ୍ ପାକିସ୍ତାନୀ ପାଇଲଟ ଭୂମିକାରେ ଦେଖିବାକୁ ମିଳିଥିଲା । ଏହି ଦୁଇ ଚଳଚିତ୍ରରେ ଅମଜାଦ୍ ଅଭିନୟ କରିଥିଲେ ମଧ୍ୟ ତାହା ଦର୍ଶକଙ୍କର ଦୃଷ୍ଟି ଆକର୍ଷଣ କରିନଥିଲ । ହେଲେ ଶେଷରେ ‘ଶୋଲେ’ ଚଳଚିତ୍ରରେ ଅମଜାଦ୍ଙ୍କୁ ଗବ୍ୱର ସିଂହ ଭୂମିକାରେ ବଡ ପରିଚୟ ମିଳିଥିଲା ।
‘ଶୋଲେ’ ବ୍ୟତୀତ ଅମଜାଦ୍ କୁର୍ବାନୀ, ଲଭ ଷ୍ଟୋରୀ,ଚରସ , ହମ କିସିସେ କମ ନେହିଁ , ଇନକାର, ପରୱରିଶ,ଦେଶ ପରଦେଶ, ଶତରଞ୍ଜ କି ଖିଲାଡୀ, ଦାଦା , ଗଙ୍ଗା କି ସୈାଗନ୍ଧ, କସ୍ମେ ୱାଦେ, ମୁକଦ୍ଦର କା ସିକନ୍ଦର , ଲାୱାରିଶ, ହମାରେ ତୁହ୍ମାରେ , ସୁହାଗ , ମୁଷ୍ଟର ନଟୱରଲାଲ୍ , ନସୀବ, କାଳିଆ, ଲେଡିଶ ଟେଲର , ରକି , ଯାତନା , ସମ୍ରାଟ,ବଗାୱତ, ସତ୍ତେ ପେ ସତ୍ତା , ଯୋଶ, ହିମତୱାଲା ଆଦି ଚଳଚିତ୍ରରେ ଅମଜାଦ୍ ଖାଁ ଅଭିନୟ କରି ସିନେପ୍ରେମୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
ଅମଜାଦ୍ ତାଙ୍କ ଚଳଚିତ୍ର ଅଭିନୟରେ ଅନେକ ସମୟରେ ଖଳନାୟକ ଭୂମିକାରେ ଦେଖିବାକୁ ମିଳିଥିଲେ । ଅମିତାଭ୍ ବଚ୍ଚନ ଓ ଧର୍ମେନ୍ଦ୍ରଙ୍କ ଭଳି ମହାନାୟକଙ୍କ ବିରୋଧରେ ଦର୍ଶକ ଅମଜାଦ୍ ଖାଁଙ୍କୁ ଦେଖିବାକୁ ପସନ୍ଦ କରୁଥିଲେ । ଏହା ଛଡା ଆଉ କେତେକ ଚଳଚିତ୍ରରେ ସେ ଚରିତ୍ର ଓ କମେଡିଆନ ଭୂମିକାରେ ମଧ୍ୟ ଅଭିନୟ କରିଥିଲେ । ଏମିତିକି ଆମଜାଦ୍ ଦୁଇଟି ଚଳଚିତ୍ରରେ ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ । ‘ଚୋର ପୋଲିସ’ ଓ ‘ଆମ ଆଦମି ଓ ଗରିବି ଆଦମୀ’ଚଳଚିତ୍ରରେ ଅମଜାଦ୍ ନିର୍ଦ୍ଦେଶନା ଦେଇଥିଲେ । - ତେବେ ଏହି ଚଳଚିତ୍ରରେ ଅସଫଳ ହେବା ପରେ ଅମଜାଦ୍ ଆଉ ନିର୍ଦ୍ଦେଶନା ଦେବାକୁ ମନ ବଳାଇନଥିଲେ ।
ଅମଜାଦ୍ ନିଜ ଅଭିନୟର ସଫତାର ଶ୍ରେୟ ନିଜ ପିତା ଜୟନ୍ତଙ୍କୁ ଦେଇଥିଲେ । ପିତା ଜୟନ୍ତଙ୍କୁ ନିଜ ଗୁରୁ ମାନି ଥାନ୍ତି ଅମଜାଦ୍ । ଅମଜାଦ୍ ଙ୍କ କହିବା ମୁତାବକ ନ୍ୟାସନାଲ ସ୍କୁଲ ଅଫ ଡ୍ରାମାରେ ପ୍ରବେଶ ନେଇଥିଲେ ଯାହା ଶିଖିଥାନ୍ତା ତାହା ଠାରୁ ଅଧିକ ମୁଁ ନିଜ ପିତାଙ୍କ ଠାରୁ ଶିଖିଛି ବୋଲି ଅମଜାଦ୍ ଏକଦା କହିଥିଲେ ।
ତେବେ ପରଦା ଉପରେ ଖନାଲାୟକ ଭୂମିକାରେ ଦର୍ଶକଙ୍କୁ ଡରାଉଥିବା ଅମଜାଦ୍ ବ୍ୟକ୍ତିଗତ ଜୀବନରେ ଦରିଆଦିଲ୍ ଓ ଶାନ୍ତିପ୍ରିୟ ମଣିଷ ଥିଲେ । ଅମିତାଭ ମଧ୍ୟ ଥରେ ସାକ୍ଷାତକାରରେ କହିଥିଲେ ଅମଜାଦ୍ ଜଣେ ଦୟାଳୁ ମଣିଷ ଥିଲେ । ଅନେକ ସମୟରେ ଅନ୍ୟକୁ ସହାୟତା କରିବା ପାଇଁ ଅମଜାଦ୍ ଆଗେଇ ଆସୁଥିଲେ ବୋଲି ଅମିତାଭ ବଚ୍ଚନ କହିଥିଲେ । ଅମିତାଭ ବଚ୍ଚନ ଅମଜାଦ୍ଙ୍କର ବେଶ ମିତ୍ରତା ରହିଥିଲା । ଏମିତିକି ଅନେକ ସମୟରେ ଅମଜାଦ୍ ଅମିତାଭଙ୍କୁ ଫୋନ କରି ଚୁଟକୁଲେ ଓ ସାୟରୀ ଶୁଣାଇଥାନ୍ତି ।
ତେବେ ଅମଜାଦଙ୍କର ଶେଷ ସମୟ ବହୁ କଷ୍ଟସାଧ୍ୟ ହୋଇ ପଡିଥିଲା । ଥରେ ଏକ ଚଳଚିତ୍ରର ସୁଟିଂ ଯାଉଥିବା ସମୟରେ ଏକ କାର୍ ଦୁର୍ଘଟଣାରେ ଅମଜାଦ୍ ଆହାତ ହୋଇଥିଲେ । ଏହି ସମୟରେ ଅମିତାଭ ବଚ୍ଚନ ଅମଜାଦ୍ଙ୍କୁ ବହୁତ ସହାୟତା ମଧ୍ୟ କରିଥିଲେ । ଅମଜାଦ୍ ଯଦିଓ ଖୁବଶୀଘ୍ର ଆରୋଗ୍ୟ ହୋଇଥିଲେ ମାତ୍ର ଡାକ୍ତରଙ୍କ ଦ୍ୱାରା ଦିଆଯାଇଥିବା ଔଷଧ ଖାଇ ଅମଜାଦ୍ ମୋଟା ହୋଇଯାଇଥିଲେ । ଏତେ ମୋଟା ହୋଇଯିବା ଯୋଗୁଁ ଅମଜାଦ୍ ଆଉ ପୂର୍ବଭଳି ଚଳଚିତ୍ରରେ ଅଭିନୟ କରି ପାରିଲେ ନାହିଁ କିମ୍ବା ଚଲାବୁଲା କରିପାରିଲେ ନାହିଁ । ତେବେ ନିଜର ମୋଟାପା କାରଣ ପାଇଁ ନିଜକୁ ଦାୟୀ କରନ୍ତି ଅମଜାଦ୍ । କାରଣ ‘ଶୋଲେ’ ଚଳଚିତ୍ର ଅଭିନୟ ସମୟରେ ଅମଜାଦ୍ ଅଲ୍ଲାଙ୍କ ନିକଟରେ କସମ ଖାଇଥିଲେ ଯେ, ଯଦି ‘ଶୋଲେ’ ଚଳଚିତ୍ର ହିଟ୍ ହୁଏ ତେବେ ସେ ଆଉ ଚଳଚିତ୍ରରେ ଅଭିନୟ କରିବେ ନାହିଁ । ଚଳଚିତ୍ରଟି ସୁପରହି;୍ ହୋଇଥିଲା ହେଲେ ଅମଜାଦ୍ ଆଲ୍ଲାଙ୍କ ନାଁ ଖାଇଥିବା କସମକୁ ଭାଙ୍ଗି ଚଳଚିତ୍ରରେ ଅଭିନୟ କରିବା ଜାରୀ ରଖିଥିଲେ । ସେଥିପାଇଁ ଓପରୱାଲା ତାଙ୍କୁ ଏହି ଦଣ୍ଡ ଦେଇଛନ୍ତି ବୋଲି ଅମଜାଦ୍ ସ୍ୱୀକାର କରିଥିଲେ । ଅମଜାଦ୍ ଚାହା ପିଇବାକୁ ବହୁତ ପସନ୍ଦ କରୁଥିଲେ । ଏମିତିକି ଗୋଟିଏ ଘଣ୍ଟା ମଧ୍ୟରେ ୧୦ଥର ଚାହା ପିଇବାକୁ ଭୁଲୁନଥିଲେ । ସେଥିପାଇଁ ସେ ଅନେକ ରୋଗର ଶୀକାର ହେଲେ । ୨୭ ଜୁଲାଇ ୧୯୯୨ରେ ହୃଦଘାତରେ ଯୋଗୁଁ ସିଂହ ଭଳି ରଡି ଦେଉଥିବା ‘ଶୋଲେ’ ଗବ୍ୱର ସିଂହ ସବୁଦିନ ଲାଗି ଶୋଇଯାଇଥିଲେ । ବଲଉଡ ଜଗତରେ ଅମଜାଦ୍ ଖଳନାୟକ ଭୂମିକାରେ ଯେଉଁ ରେଖା ଟାଣିଛନ୍ତି ସେହି ରେଖାକୁ ଟପିବାରେ ଆଉ କୈାଣସି ଖଳନାୟକ ସମର୍ଥ ହୋଇନାହାନ୍ତି । ଡିମ୍ପଲ କପାଡିଆ ଓ ରାକ୍ଷୀଙ୍କ ଅଭିନିତ ‘ରୁଦାଲି’ ଥିଲା ଅମଜାଦ୍ ଙ୍କ ଶେଷ ଚଳଚିତ୍ର ।