ଭୁବନେଶ୍ୱର (ନରସିଂହପୁର): ଧନ ଦଉଲତରେ ମଣିଷକୁ ତଉଲା ଯାଇପାରେନା । ଅସଲ ମଣିଷ ଚିହ୍ନା ପଡ଼େ ତା’ର ସାଧୁତା ଓ ସଚ୍ଚୋଟତାରୁ । ମଣିଷପଣିଆ ସାମ୍ନାରେ ଲୋଭ କିପରି ହାର ମାନେ ତା’ର ଜ୍ୱଳନ୍ତ ଉଦାହରଣ ଦେଇଛନ୍ତି - ଶ୍ରୀ ଗିରୀଶ ଚନ୍ଦ୍ର ପଣ୍ଡା, ପିତା: ସ୍ୱର୍ଗତ ଗୋବିନ୍ଦ ଚନ୍ଦ୍ର ପଣ୍ଡା (ଶିକ୍ଷକ), ଗ୍ରାମ: ଏକଡ଼ାଳ, ବ୍ଲକ୍-ନରସିଂହପୁର, ଜିଲ୍ଲା: କଟକ । ବିଶ୍ୱକୁ ଦେଇଛନ୍ତି ସାଧୁତା, ସଚ୍ଚୋଟତା ଓ ନିର୍ଲୋଭପଣିଆର ବାର୍ତ୍ତା ।
ଯଦିଓ ସଂପ୍ରତ୍ତି କରୋନା ଭୁତାଣୁ ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇ ସଂକ୍ରମିତ କରିଚାଲିବା ସହିତ ମୃତ୍ୟୁ ମୁଖକୁ ଟାଣି ନେଉଛି ଅନେକ ଜୀବନ, ଜୀବନ ଓ ଜୀବିକା ଉପରେ ପଡ଼ୁଛି ଯଥେଷ୍ଟ ପ୍ରଭାବ, ଅର୍ଥ ପାଇଁ ସମସ୍ତେ ସଂଗ୍ରାମରତ, ତଥାପି, ନିଜ ସ୍ୱଳ୍ପ ଦରମାର କଷଣ ତାଙ୍କ ସାଧୁତା ଓ ମାନବିକତା ଉପରେ ପ୍ରଭାବ ପକାଇ ନ ଥିଲା । ବର୍ତ୍ତମାନ ସେ ପେସାରେ ସେ ଜଣେ ଚୁକ୍ତିଭିତ୍ତିକ କିରାଣୀ ଭାବରେ ଏକ ସରକାରୀ ସଂସ୍ଥାରେ କାର୍ଯ୍ୟରତ । ତାଙ୍କ ସାଧୁତାକୁ ନେଇ ଏବେ ଚାରିଆଡ଼େ ଆଲୋଚନା ।
ଘଟଣା ମୁତାବକ, ପୋଲିସ୍ ଅଫିସର, ଶ୍ରୀଯୁକ୍ତ ଏ.କେ. ମାଝି ବାଇକ୍ରେ ଫାୟାରଷ୍ଟେସନ୍ ଛକରୁ ଡ଼େଲ୍ଟା ଛକରାସ୍ତାର ଡ଼ାହାଣ ପାଶ୍ୱର୍ରେ ଥିବା ପେଟ୍ରୋଲ ପମ୍ପରେ ତେଲ ପକାଇ ସେଠାରୁ ଡ଼େଲ୍ଟା ଟ୍ରାଫିକ୍ ଛକ ଦେଇ ତାଙ୍କ କାର୍ଯ୍ୟାଳୟକୁ ଯାଉଥିଲେ । ମାତ୍ର କାର୍ଯ୍ୟାଳୟରେ ପହଞ୍ôଚ ଦେଖିଲାବେଳକୁ ତାଙ୍କ ମନିପର୍ସ ନ ଥିଲା । କାର୍ଯ୍ୟାଳୟରୁ ଫେରି ରାସ୍ତାରେ ବହୁତ ଖୋଜା ଖୋଜି କରିଥିଲେ ଓ ପେଟ୍ରୋଲ ପମ୍ପର କର୍ମଚାରୀମାନଙ୍କୁ ପଚାରିଥିଲେ ମଧ୍ୟ ତାଙ୍କ ମନିପର୍ସ ପାଇ ନ ଥିଲେ । ସେ ନିରାଶ ହୋଇ ନିଜ କାର୍ଯ୍ୟାଳୟକୁ ଫେରିଯାଇଥିଲେ ।
ଶ୍ରୀଯୁକ୍ତ ପଣ୍ଡା ଆଜି ଦିନ ୯:୩୦ ମିନିଟ୍ ସମୟରେଏକ ଜରୁରୀ କାର୍ଯ୍ୟରେ ଗଲାବେଳେ ଡ଼େଲ୍ଟା ପେଟ୍ରୋଲ ପମ୍ପରୁ ଡ଼େଲ୍ଟା ଟ୍ରାଫିକ୍ ଛକ୍ ଆଡ଼କୁ ଯିବା ରାସ୍ତାରେ ଥିବା ହୋଟେଲ ଓ ଦୋକାନ୍ ଆଗରେ ଏକ ମନିପର୍ସ ପାଇଥିଲେ । ପର୍ସରେ ପ୍ରାୟ ୧୨ ହଜାର ଟଙ୍କା ଏ.ଟି.ଏମ୍. କାର୍ଡ଼, ବାଇକ୍ କାଗଜପତ୍ର ଯଥା ଡ଼ି.ଏଲ୍., ପଲ୍ୟୁସନ୍ କାର୍ଡ଼ ସହ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଥିବା ଜାଣିଥିଲେ । ସେଥିରେ ଥିବା ଆଇ.ଡ଼ି. କାର୍ଡ଼ରେ ପ୍ରଦତ୍ତ ବ୍ୟକ୍ତିଗତ ଓ ଜରୁରୀ କାଳୀନ ମୋବାଇଲ୍ ନମ୍ବରରେ ଯୋଗାଯୋଗ କରି ପର୍ସ ହଜିଯାଇଥିବା ସଂପୃକ୍ତ ବ୍ୟକ୍ତି ମହାଶୟ, ଶ୍ରୀ ଏ.କେ.ମାଝି (ପୋଲିସ୍ ଅଫିସର୍)ଙ୍କୁ ଠାବ କରିଥିଲେ । ପର୍ସଟି ପୋଲିସ୍ ଅଫିସର, ଶ୍ରୀଯୁକ୍ତ ଏ.କେ. ମାଝିଙ୍କର ବୋଲି ଯଥେଷ୍ଟ ପ୍ରମାଣ ସଂଗ୍ରହ କରି ପର୍ସ ସହ ସମସ୍ତ ଟଙ୍କା ଓ କାଗଜପତ୍ର ଫେରାଇଦେଇଥିଲେ । ଶ୍ରୀଯୁକ୍ତ ପଣ୍ଡାଙ୍କ ଏତାଦୃଶ୍ୟ ସାଧୁତାକୁ ନରସିଂହପୁର ଓ ଭୁବନେଶ୍ୱର ଅଞ୍ଚଳବାସୀ ବେଶ୍ ପ୍ରଶଂସା କରିଛନ୍ତି । ଶ୍ରୀ ଗିରୀଶ ଚନ୍ଦ୍ର ପଣ୍ଡା ସଂପ୍ରତି ଭୁବନେଶ୍ୱରରେ ତାଙ୍କ ପରିବାରଙ୍କ ସହିତ ଏକ ଭଡ଼ା ଘରେ ରହୁଛନ୍ତି । ମାତ୍ର ତାଙ୍କର ଆର୍ଥିକ ଅବସ୍ଥା ସ୍ୱଚ୍ଛଳତା ନଥିବା ସତ୍ତ୍ୱେ ସେ ରାସ୍ତାରୁ ପାଇଥିବା ଏହି ଅର୍ଥପ୍ରତି ଲୋଭାସକ୍ତ ହୋଇ ନ ଥିଲେ । ନିଜ ସଚ୍ଚୋଟତାର ପ୍ରମାଣ ଦେଇ ଶ୍ରୀଯୁକ୍ତ ପଣ୍ଡା ନରସିଂହପୁର ଅଞ୍ଚଳର ଯୁବକ ତଥା ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ ପାଲଟିଛନ୍ତି ।