କରୋନା ଯୋଦ୍ଧାଙ୍କୁ ପ୍ରଂଶସା କଲେ ନବୀନ
ଭୁବନେଶ୍ୱର,(ଓଡିଶା ଜନମୋର୍ଚ୍ଚା)- ଆଜି ଏକ ଭିଡିଓ ବାର୍ତ୍ତାରେ କରୋନା ଯୋଦ୍ଧାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିଛନ୍ତି । ରାଜ୍ୟରେ କରୋନା ଜନିତ ମୃତ୍ୟୁହାର ସାରା ବିଶ୍ୱରେ ସର୍ବନିମ୍ନ ରହିଛି ଏବଂ ଅଧାରୁ ଅଧିକ କରୋନା ସଂକ୍ରମିତ ସୁସ୍ଥ ହେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ଏକ ଭିଡିଓ ବାର୍ତ୍ତାରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରି କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଧନୀକ ଶ୍ରେଣୀର ରାଜ୍ୟ ଗୁଡିକ କରୋନା ଯୁଦ୍ଧରେ ସଫଳତା ପାଇନଥିବା ବେଳେ ଆମ କୋଭିଡ ଯୋଦ୍ଧାଙ୍କ ପ୍ରତିବଦ୍ଧତା ଓ ନିଷ୍ଠା ଯୋଗୁଁ ଆମେ ସଫଳତା ପାଇଛୁ । ଏବେ ଓଡିଶା ସାରା ବିଶ୍ୱ ପାଇଁ ନିଦର୍ଶନ ପାଲଟିଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆସନ୍ତା ୩୦ ତାରିଖ ଅର୍ଥାତ ଶନିବାର ସନ୍ଧ୍ୟା ସାଢେ ୫ଟାରେ ବନ୍ଦେ ଉତ୍କଳ ଜନନୀ ଗାଇବା ପାଇଁ ଆହ୍ୱାନ ଦେଇଛନ୍ତି । ବିଶ୍ୱରେ ପ୍ରତ୍ୟେକ ଓଡିଆ ଯେଉଁଠି ଥାଆନ୍ତୁନା କାହିଁକି ସାମାଜି ଦୂରତ୍ୱ ପାଳନ କରି ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାଇବା ପାଇଁ ଶ୍ରୀ ପଟ୍ଟନାୟକ ଆହ୍ୱାଇନ ଦେଇଛନ୍ତି । କରୋନା ସଂକ୍ରମଣକୁ ପ୍ରତିହତ କରିବା ଦିଗରେ ଆମ କରୋନା ଯୋଦ୍ଧାଙ୍କୁ ଏହା ଉତ୍ସାହିତ କରିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଟେଲିଫୋନ ଯୋଗେ ରାଜ୍ୟର କରୋନା ପଜିଟିଭ୍ ସରପଞ୍ଚ,ଆଶା ଓ ଅଙ୍ଗନୱାର୍ଡି କର୍ମୀଙ୍କ ସହ କଥା ହୋଇ ସେମାଇନଙ୍କ ମନୋବଳ ବଢାଇଥିଲେ ।