ଶାହିନ୍ବାଗ ଆନ୍ଦୋଳନ କ’ଣ ବିଜେପିର ସୃଷ୍ଟି !
ନୂଆଦିଲ୍ଲୀ : ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରି ଶାହିନ୍ ବାଗରେ ଆନ୍ଦୋଳନ କରୁଥିବା ୩ଜଣ ପ୍ରମୁଖ ନେତା ଏବେ ବିଜେପି ଦଳରେ ସାମିଲ ହୋଇଯାଇଛନ୍ତି । ଏହି ଆନ୍ଦୋଳନ ସେତେବେଳେ ବିଜେପି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରୁଥିଲା । ବିଜେପି ମଧ୍ୟ ସେହି ଆନ୍ଦୋଳନକାରୀଙ୍କୁ ଦେଶଦ୍ରୋହୀ କହିବାକୁ ଭୁଲୁନଥିଲା । ତେବେ ଆନ୍ଦୋଳନର ପ୍ରମୁଖ ନେତା ସାମାଜିକ କର୍ମୀ ଶାହାଜାଦା ଅଲୀ ବିଜେପି ଦିଲ୍ଲୀ ସଭାପତି ଆଦେଶ ଗୁପ୍ତାଙ୍କ ଉପସ୍ଥିତିରେ ଏହି ଗେରୁଆ ଦଳରେ ସାମିଲ ହେବା ସହ ବିଜେପି ମୁସଲିମ ମାନଙ୍କର ବିରୋଧି ନୁହେଁ ବୋଲି ସେ କହିଛନ୍ତି । ତେବେ ଶାହିନବାଗ ଆନ୍ଦୋଳନ କାରୀ ବିଜେପିରେ ମିଶିବା ପରେ ଦିଲ୍ଲୀର ଆମ ଆଦମୀ ପାର୍ଟି ବିଜେପି ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛି । ଆମ ଆଦମୀ ପାର୍ଟିର ମୁଖପାତ୍ର ସୈାରଭ ଭରଦ୍ୱାଜଙ୍କ ଅଭିଯୋଗ ମୁତାବକ ଯେଉଁମାନେ ଆଜି ବିଜେପିରେ ସାମିଲ ହୋଇଛନ୍ତି ସେମାନଙ୍କୁ ବିଜେପି ପକ୍ଷରୁ ଶାହିନବାଗ ପଠାଯାଇଥିଲା । ଶାହିନବାଗ୍ ଆନ୍ଦୋଳନକାରୀ ମାନେ ବିଜେପିର ସଦସ୍ୟ ଥିଲେ । ସେମାନେ ଭାରତ ବିରୋଧି ସ୍ଲୋଗାନ ଦେଉଥିଲେ ମଧ୍ୟ ପୋଲିସ କୈାଣସି କାର୍ଯ୍ୟାନୁଷ୍ଠାନ ନେଉନଥିଲା । ଦିଲ୍ଲୀ ନିର୍ବାଚନରେ ଫାଇଦା ନେବା ପାଇଁ ବିଜେପି ପକ୍ଷରୁି ଶାହିନବାଗ୍ ଆନ୍ଦୋଳନ ସୃଷ୍ଟି କରାଯାଇଥିଲା ବୋଲି ଆମ ଆଦମୀ ପାର୍ଟି ଅଭିଯୋଗ କରିଛି । ସେହିପରି ଆମ ଆଦମୀ ପାର୍ଟି ସାଂସଦ ସଞ୍ଜୟ ସିଂହ କହିଛନ୍ତି ଯେ,ବିଜେପିର ଦୋମୁହାଁ ରାଜନୀତିର ଫଦ୍ଦାଫାସ ହୋଇଛି । ଏବେ ଦେଶବାସୀ ଜାଣିବା ଦରକାର ଶାହିନବାଗ୍ ଆନ୍ଦୋଳନ କାହା ଇସାରାରେ ହେଉଥିଲା । ଦେଶ ବିରୋଧିନାରା ବିଜେପି ବାଲା ଲଗାଇଥିଲେ । ଦିଲ୍ଲୀରେ ଦଙ୍ଗା ବିଜେପି ହିଁ କରିଥିଲା ବୋଲି ଆମ ଆଦମୀ ପାର୍ଟିର ସାଂସଦ ଅଞ୍ଜୟ ସିଂହ ସାଂଘାତିକ ଅଭିଯୋଗ ଆଣିଛନ୍ତି । ଏଭଳି ଗଦ୍ଦାରଙ୍କୁ ଦେଶବାସୀ ଚିହ୍ନିବା ଉଚିତ ବୋଲି ଶ୍ରୀ ସିଂହ କହିଛନ୍ତି । ସୂଚନା ଯୋଗ୍ୟ ଯେ, ୨୦୧୯ ଡିସେମ୍ବର ୧୪ରୁ ଶାହିନବାଗ୍ରେ ସିଏଏ ବିରୋଧରେ ଆନ୍ଦୋଳନ ଆରମ୍ଭ ହୋଇଥିଲା । ଏହା ୧୦୦ରୁ ଅଧିକ ଦିନ ଧରି ଚାଲିଥିଲା । ମହାମାରୀ କରୋନା ପାଇଁ ଏହି ଆନ୍ଦୋଳନ ୨୦୨୦ ମାର୍ଚ୍ଚ ୨୪ରେ ବନ୍ଦ କରିଦିଆଯାଇଥିଲା । ତେବେ ଶାହିନବାଗ ଆନ୍ଦୋଳନର ତଥାକଥିତ ଆନ୍ଦୋଳନକାରୀ ବିଜେପିରେ ସାମିଲ ହେବା ପରେ ଦଳ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି ।