ବିଜେଡି ବିଧାୟକଙ୍କ ବିରୋଧରେ ସାଂଘାତିକ ଅଭିଯୋଗ
ଭୁବନେଶ୍ୱର : ଚିଲିକା ବିଜେଡି ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ । ବିଧାୟକ ଜଗଦ୍ଦେବ କୁଆଡେ କନିଷ୍ଠଯନ୍ତ୍ରୀ ଜଗବନ୍ଧୁ ସାହୁଙ୍କୁ ଧମକ ଚମକ ଦେବା ସହ ଦୁର୍ବ୍ୟବହାର କରିଥିଲେ । ଏମିତିକି ନିଶାଶକ୍ତ ଅବସ୍ଥାରେ ତାଙ୍କର କର୍ମଚାରୀଙ୍କୁ ମାଡ ମାରିବାକୁ ଉଦ୍ୟମ କରିଥିଲେ ବୋଲି କନିଷ୍ଠଯନ୍ତ୍ରୀ ଶ୍ରୀ ସାହୁ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କୁ ପତ୍ର ଦ୍ୱାରା ଅବଗତ କରିଛନ୍ତି । ଅପର ପକ୍ଷରେ କନିଷ୍ଠଯନ୍ତ୍ରୀ ସାହୁଙ୍କ ଅଭିଯୋଗକୁ ବିଧାୟକ ଅସ୍ୱୀକାର କରିଛନ୍ତି । ମିଳିଥିବା ଖବର ଅନୁଯାଇ ଗତ ୧୫ ତାରିଖ ରାତିରେ ବିଧାୟକ ଜଗଦ୍ଦେବ ଓ ତାଙ୍କ ପରିବାର ଏବଂ ବାଣପୁର ବିଡିଓ ଏବଂ ତାଙ୍କ ସ୍ୱାମୀ ସିଡିଏ ସାଇଣ୍ଟିଷ୍ଟ ହଷ୍ଟେଲରେ ପହଞ୍ଚିଥିଲେ । ତାଙ୍କ ପାଇଁ ୨୦୩ ,୨୦୪ ଓ ୨୦୫ ନମ୍ବର ରୁମ ବୁକିଂ ହୋଇଥିବା ନେଇ କନିଷ୍ଠଯନ୍ତ୍ରୀ ଜଗବନ୍ଧୁ ସାହୁ ଓ କେୟାରଟେକର ତାଙ୍କୁ ଜଣାଇଥିଲେ । ତେବେ ଏଥିରେ ଉତକ୍ଷିପ୍ତ ହୋଇ ବିଧାୟକ ଶ୍ରୀ ଜଗଦ୍ଦେବ ୨୦୧ ଓ ୨୦୨ ନମ୍ବର ରୁମ ଖୋଲିବାକୁ ତାଗିଦ୍ କରିଥିଲେ । ସେହିପରି ବିଧାୟକ ଜଣକ ଯୋରଜବରଦସ୍ତ ୨୦୧ ଓ ୨୦୨ ନମ୍ବର ରୁମ ଖୋଲିଥିଲେ । ନିଶାଶକ୍ତ ଅବସ୍ଥାରେ ଥିବା ବିଧାୟକ କନିଷ୍ଠଯନ୍ତ୍ରୀଙ୍କୁ ଧମକ ଚମକ ଦେବା ସହ ରାତି ୨ଟା ପର୍ଯ୍ୟନ୍ତ ସେଠାରେ ଡ୍ରିଙ୍କସ୍ କରିଥିବା ନେଇ କନିଷ୍ଠଯନ୍ତ୍ର୍ୀ ନିର୍ବାହୀଯନ୍ତ୍ରୀଙ୍କୁ ଜଣାଇଥିଲେ । ଅପର ପକ୍ଷରେ ଚିିଲିକା ଉନ୍ନୟନ କର୍ତ୍ତୃପକ୍ଷ ଏସମ୍ପର୍କରେ ମୁହଁ ଖୋଲିନଥିବା ବେଳେ କନିଷ୍ଠଯନ୍ତ୍ରୀଙ୍କ ଅଭିଯୋଗ ନିକଟସ୍ଥ ବାଲୁଗାଁ ଥାନାକୁ ପଠାଇ ଦିଆଯାଇଥିବା ଜଣା ପଡିଛି । ଅପର ପକ୍ଷରେ ତାଙ୍କ ବିରୋଧିରେ ଆସିଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ଓ ଭିତ୍ତିହୀନ ବୋଲି ବିଧାୟକ ଜଗଦ୍ଦେବ ଗୋଟିଏ ଗଣମାଧ୍ୟମକୁ ଫୋନ ଜରିଆରେ କହିଥିବା ଜଣା ପଡିଛି । ସୂଚନା ଯୋଗ୍ୟ ଯେ, ଏହି ବିଜେଡି ବିଧାୟକଙ୍କ ବିରୋଧରେ ପୂର୍ବରୁ ଅନେକ ଅଭିଯୋଗ ଆସିଛି । ବୈାଦ୍ଧ ଜିଲ୍ଲା ମନୁମୁଣ୍ଡା ଠାରେ ମାରପିଟ ଘଟଣା ଠାରୁ ଆରମ୍ଭ କରି ବୋଲଗଡରେ ସରକାରୀ କର୍ମଚାରୀଙ୍କୁ ଖରାପ ବ୍ୟବହାର ହେଉ । ସେ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି । ତେବେ ବାରମ୍ବାର ଚର୍ଚ୍ଚାରେ ଆସୁଥିବା ବିଧାୟକ ଜଗଦ୍ଦେବଙ୍କ ପ୍ରତି ଏଥର ବିଜେଡି ସୁପ୍ରିମୋ କି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।