ଭାରତର ସ୍ୱାଧୀନତା ଦିବସ
ନିରଞ୍ଜନ ବେହେରା
ଆଜି ଅଗଷ୍ଟ ୧୫ ତାରିଖ, ସ୍ୱାଧୀନତା ଦିବସ। ଭାରତୀୟଙ୍କ ପାଇଁ ଦୁଇଟି ପବିତ୍ର ଦିନ ମଧ୍ୟରୁ ଏହା ଗୋଟିଏ, ଅନ୍ୟଟି ଜାନୁଆରୀ ୨୬ ତାରିଖ ଯାହାକୁ ଆମେ ସାଧାରଣତନ୍ତ୍ର ଦିବସ ରୂପେ ପାଳନ କରନ୍ତି। ଇଂରେଜମାନଙ୍କର ପ୍ରାୟ ୧୯୦ ବର୍ଷର ଶାସନ ଶୃଙ୍ଖଳରୁ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ନିଜକୁ ମୁକ୍ତ କରି ଆମ୍ଭମାନଙ୍କର ପୂର୍ବୋଜମାନେ ଔପନିବେଶିକ ସ୍ୱାଧୀନତା ଲାଭ କରିଥିଲେ। ତା’ ପୂର୍ବରୁ ୧୭୫୭ ମସିହାରେ ଇଷ୍ଟ ଇଣ୍ଡିଆ କମ୍ପାନୀର ବଣିକମାନେ ବଙ୍ଗଳାର ଜନଅପ୍ରିୟ ନବାବ ସିରାଜ ଉଦ୍ଦୌଲ୍ଲାଙ୍କୁ ପଲ୍ଲାସି ଯୁଦ୍ଧରେ ପରାସ୍ତ କରି ପ୍ରଥମେ ବଙ୍ଗଳାରୁ ଭାରତରେ ନିଜର ପ୍ରଭୁତ୍ୱ ଆରମ୍ଭ କରିଥିଲେ। ଯଦିଓ ପ୍ରାୟ ୧୦୦ ବର୍ଷ ପରେ ୧୮୫୮ ମସିହାରେ ସେମାନଙ୍କଠାରୁ ସେହି କ୍ଷମତା ଇଂରେଜ ସରକାର ନେଇଯିବା ପର୍ଯ୍ୟନ୍ତ ସେମାନେ ସାରା ଭାରତକୁ ଜୟ କରି ପାରିନଥିଲେ। ଇଂରେଜ ସରକାରଙ୍କୁ ସେଇ କାର୍ଯ୍ୟ ଅର୍ଥାତ୍ ସମଗ୍ର ଭାରତକୁ ପ୍ରତ୍ୟକ୍ଷ ବା ପରୋକ୍ଷ ଶାସନାଧୀନ କରିବାକୁ ତଥାପି ଆଉ ଅର୍ଦ୍ଧଶତାବ୍ଦୀ ସମୟ ଲାଗିଥିଲା ଏବଂ ଶେଷରେ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖ ଦିନ ସେମାନେ ଭାରତୀୟ ନେତାଙ୍କ ହାତରେ ଦେଶର ଶାସନ କ୍ଷମତା ଅର୍ପଣ କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଥିଲେ। ସମସ୍ତଙ୍କର ନହେଲେ ବି ଅନେକଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଥିବ ଯେ ଭାରତ ପରି ବୃହତ୍ ରାଷ୍ଟ୍ରର ସହଜଲବ୍ଧ ଶାସନ ଦାୟିତ୍ୱକୁ ଇଂରେଜମାନେ ଭାରତୀୟମାନଙ୍କୁ ଫେରାଇଦେଲେ କାହିଁକି? ତାହା ତାଙ୍କର ବଦାନ୍ୟତା ଅବା ବାଧ୍ୟବାଧକତା? ସଂକ୍ଷେପରେ କହିବାକୁ ଗଲେ ଭାରତର ସ୍ୱାଧୀନତା ସଂଗ୍ରାମ ହିଁ ଇଂରେଜମାନଙ୍କୁ ଭାରତ ଛାଡ଼ି ଚାଲିଯିବାକୁ ବାଧ୍ୟ କରିଥିଲା। କିନ୍ତୁ କୌଣସି ଐତିହାସିକ ଏହି ସଂଗ୍ରାମ ଆରମ୍ଭର ବର୍ଷ, ମାସ, ଦିନ ନିର୍ଣ୍ଣୟ କରିପାରିନାହାନ୍ତି। ଇଂଲଣ୍ଡ ସରକାର ଭାରତ ଶାସନ “ଇଂଲିସ ଇଷ୍ଟ-ଇଣ୍ଡିଆ କମ୍ପାନୀ’ ହାତରୁ ନେବା ପରେ ପରେ ହିଁ ଭାରତରେ ଜାତୀୟତାବାଦର ଉଲ୍ଲେଖନୀୟ ଉନ୍ନତି ପରିଲକ୍ଷିତ ହୋଇଥିବା ସ୍ୱୀକାର୍ଯ୍ୟ ଯେଉଁଥିଯୋଗୁଁ ଐତିହାସିକମାନେ ଊନବିଂଶ ଶତାବ୍ଦୀର ସତୁରୀ ଦଶକକୁ ଭାରତର ଜାତୀୟତାବାଦର ଦଶକ ବୋଲି ଦାବି କରନ୍ତି। ଖୁବ୍ଶୀଘ୍ର ସେଇ ଜାତୀୟତାବାଦରୁ ୧୮୮୫ ମସିହାରେ “ଭାରତୀୟ ଜାତୀୟ କଂଗ୍ରେସ’ ଆତ୍ମପ୍ରକାଶ କରିଥିଲା।
ବହୁବର୍ଷ ପର୍ଯ୍ୟନ୍ତ ଏହାର ପ୍ରତିଷ୍ଠାତାମାନେ ଜାତିଗଠନ ପ୍ରକ୍ରିୟାରେ ବ୍ୟସ୍ତଥିବା ଦାବି କରୁଥିଲେ। କାରଣ ଭାରତରେ ଜାତିଗଠନ ଓ ଭାରତୀୟ ଜାତୀୟତାବାଦର ଜନ୍ମବର୍ଷ ଏକ ନଥିଲା। ସୁତରାଂ ସେଇ ଜାତୀୟ କଂଗ୍ରେସ, ୧୯୧୯ ମସିହାରୁ ମହାତ୍ମାଗାନ୍ଧୀଙ୍କର ରାଜନୀତିରେ ସକ୍ରିୟ ଯୋଗଦାନ, ଜାତି ଗଠନରେ ତାଙ୍କର ନିରବଚ୍ଛିନ୍ନ ପ୍ରୟାସ ଓ ସେବେଠାରୁ ସରକାରଙ୍କ ବିରୋଧରେ ତାଙ୍କର ଆନ୍ଦୋଳନ ବା ପ୍ରତିବାଦ ଯାହାର ଶେଷ ପର୍ଯ୍ୟାୟ ଥିଲା “ଭାରତଛାଡ଼ ଆନ୍ଦୋଳନ’ ଏବଂ “ଡୁ ଅର୍ ଡାଏ’ର ଡାକରା ଇତ୍ୟାଦି ଇଂରେଜ ସରକାରଙ୍କୁ ଭାରତୀୟ ନେତାଙ୍କ ହାତରେ ଦେଶର ଶାସନଭାର ଅର୍ପଣ କରିବାର ପ୍ରମୁଖ କାରଣ ଥିଲା। ପ୍ରକାଶଯୋଗ୍ୟ ମହାତ୍ମାଗାନ୍ଧୀ ଯାହାଙ୍କ ମୂଳ ନାମ ମୋହନଦାସ କରମଚାନ୍ଦ ଗାନ୍ଧୀ ହୋଇଥିଲେ ବି ତାଙ୍କଠାରେ ମହାମାନବୀୟ ଗୁଣର ସନ୍ଧାନ ପାଇ ପ୍ରଥମେ ଚମ୍ପାଚରଣର ନୀଳଚାଷୀ ଓ ପରେ ପରେ ରବୀନ୍ଦ୍ରନାଥ ଠାକୁର ତାଙ୍କୁ ସେପରି ନାଆଁରେ ସମ୍ବୋଧନ କରିଥିଲେ ଏବଂ ଗାନ୍ଧିଜୀଙ୍କର ସକ୍ରିୟ ରାଜନୀତିରେ ପ୍ରବେଶ ବର୍ଷ ଜନସମର୍ଥନକୁ ଦେଖି ଯୁକ୍ତରାଜ୍ୟ (ଆଜିର ଉତ୍ତରପ୍ରଦେଶ) ପୋଲିସର ସରକାରଙ୍କୁ ରିପୋର୍ଟ ନିମ୍ନୋକ୍ତ ଥିଲା: “”ଗାନ୍ଧୀଙ୍କ ନାଆଁରେ ନିପଟ ମଫସଲରେ ମୁଦ୍ରା ପ୍ରଚଳନ ହେଉଛି। ସେଠାରେ ଲୋକମାନେ ଗାନ୍ଧୀଙ୍କୁ ଆଦୌ ଜାଣିନଥିଲେ ବି ତାଙ୍କ ଆଦେଶ ମାନିବାକୁ ବା କାର୍ଯ୍ୟକାରୀ କରିବାକୁ ପ୍ରସ୍ତୁତ ହୋଇଅଛନ୍ତି। ସେମାନେ ତାଙ୍କୁ ମହାତ୍ମା, ସାଧୁ, ପଣ୍ଡିତ, ଜଣେ ବ୍ରାହ୍ମଣ ବା ଦେବତା ବୋଲି ଭାବନ୍ତି…।” ଡୋମିନିକ୍ ଲାପିଅର ଓ ଲାରୀ କଲିନ୍ସଙ୍କ ମତରେ “”ଗାନ୍ଧୀଙ୍କୁ କୌଣସି କାର୍ଯ୍ୟରେ ରାଜଧାନୀକୁ ଯିବାକୁ ପଡୁନଥିଲା। ମାତ୍ର ଗାନ୍ଧୀ ଯେଉଁଠାକୁ ଯାଉଥିଲେ ରାଜଧାନୀ ତାଙ୍କ ପଛେ ପଛେ ଗୋଡ଼ାଉଥିଲା। ଅର୍ଥାତ୍ ସିଏ ଯେଉଁଠି ଯେତେ ସମୟ ରହୁଥିଲେ, ସେ ସ୍ଥାନ ସେତେ ସମୟ ଭାରତର ରାଜଧାନୀ ହୋଇଯାଉଥିଲା।”
କଟକରେ ଶୈଶବ କଟାଇଥିବା ସୁଭାଷ ବୋଷ ଆଜାଦ ହିନ୍ଦ୍ ଫୌଜର ନେତୃତ୍ୱ ନେବାପରେ ତାଙ୍କର “ଦିଲ୍ଲୀ ଚଲୋ’ ଓ “ମୋତେ ରକ୍ତ ଦିଅ ମୁଁ ତୁମକୁ ସ୍ୱରାଜ ଦେବି’ର ଡାକରା, ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଭାଗ ନେଇଥିବା ୨୫ ଲକ୍ଷ ଭାରତୀୟଙ୍କ ପାଖରେ ଇଂରେଜ ସରକାରଙ୍କର ଅଙ୍ଗୀକାରବଦ୍ଧତା ଓ ସରକାରଙ୍କ ଅଧୀନରେ କାର୍ଯ୍ୟରତ ନୌବାହିନୀର ଧର୍ମଘଟ ପଛରେ ଥିବା ଜନମସର୍ଥନ ଇତ୍ୟାଦି ଇଂରେଜମାନଙ୍କୁ ଭାରତରେ ଶଙ୍କାକୁଳ ଜୀବନଯାପନ ପାଇଁ ବାଧ୍ୟ କରିଥିଲା। ସେମାନେ ନିଜକୁ ଗୋଟିଏ ସୁପ୍ତ ଆଗ୍ନେୟଗିରି ଉପରେ ବସିଥିବା ପରି ମନେ କରୁଥିଲେ ଯେଉଁ ଆଗ୍ନେୟଗିରିରେ କୌଣସି ମୁହୂର୍ତ୍ତରେ ଉଦ୍ଗିରଣ ହେବାର ସମ୍ଭାବନା ଥିଲା। ଆତ୍ମସମର୍ପଣ କରିଥିବା ଆଜାଦ୍ହିନ୍ଦ୍ ଫଉଜମାନଙ୍କର ବିଚାର ବିରୋଧରେ ଜନସମର୍ଥନକୁ ଲକ୍ଷ୍ୟକରି ଗୁଇନ୍ଦା ନିର୍ଦ୍ଦେଶକଙ୍କ ନିମ୍ନଲିଖିତ ସ୍ୱୀକାରୋକ୍ତି ସେମାନଙ୍କୁ ଅର୍ଥାତ୍ ଉଭୟ ଭାରତରେ ଓ ଇଂଲଣ୍ଡରେ ଥିବା ଇଂରେଜମାନଙ୍କୁ ଅଧିକ ଭୟଭୀତ କରାଇଥିଲା।
“ଭାରତରେ ଆଜାଦହିନ୍ଦ୍ ଫୌଜଙ୍କ ବିଚାର ବ୍ୟତୀତ ଏପର୍ଯ୍ୟନ୍ତ ଏପରି କୌଣସି ଘଟଣା ଘଟିନଥିଲା ଯାହା ସମଗ୍ର ଭାରତବାସୀଙ୍କ ଉପରେ ପ୍ରଭାବ ପକାଇ ପାରିଥିଲା।’ ଜବାହରଲାଲଙ୍କ ଭାଷାରେ “ଶହେ ଭିନ୍ନ ଭିନ୍ନ ଭାଷାଭାଷୀ, ସଂସ୍କୃତି ଓ ଧର୍ମର ଭାରତୀୟମାନଙ୍କ ମଧ୍ୟରେ ଏପରି ଏକତା ପୂର୍ବରୁ କେବେବି ଦେଖା ଦେଇନଥିଲା ଯାହା “ଆଜାଦ୍ ହିନ୍ଦ୍ ଫୌଜ’ଙ୍କ ବିରୋଧରେ ଚାଲିଥିବା ବିଚାରକୁ ନେଇ ସାରା ଦେଶରେ ଦେଖାଦେଇଛି।’ ବାସ୍ତବରେ ସ୍ୱାଧୀନ ଆଜାଦହିନ୍ଦ୍ ଫୌଜଙ୍କଠାରୁ ସେମାନଙ୍କର କାରାରୁଦ୍ଧ ସମୟରେ ବିଚାରର ପ୍ରଭାବ ଭାରତୀୟମାନଙ୍କୁ ଅଧିକ ସଂଗଠିତ କରାଇବାରେ ସକ୍ଷମ ହୋଇଥିଲା। ସୁତରାଂ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଭାରତରେ ରାଜନୈତିକ ଝଡ଼ର ଭୟାଭହତାକୁ ଲକ୍ଷ୍ୟକରି ଇଂଲଣ୍ଡର ସମ୍ଭ୍ରାନ୍ତଙ୍କ ସମେତ ରାଜନେତାମାନେ ଭାରତୀୟଙ୍କ ରାଜନୈତିକ ଅଧିକାର ଭାରତୀୟଙ୍କୁ ଫେରାଇଦେବା ଉପରେ ଗୁରୁତ୍ୱଆରୋପ କରିଥିଲେ। ଶେଷରେ ତା ୨୦.୦୨.୧୯୪୭ ରିଖ ଦିନ ଶ୍ରମିକ ଦଳର ନେତା ତଥା ବ୍ରିଟିଶ ପ୍ରଧାନମନ୍ତ୍ରୀ କ୍ଲେମେଟ ଅଟଲୀ ପାର୍ଲାମେଣ୍ଟରେ ଭାରତରୁ ଇଂରେଜ ଶାସନର ଅପସାରଣ ସିଦ୍ଧାନ୍ତ ଘୋଷଣା କଲେ ଓ ସେଇ ମର୍ମରେ ତାଙ୍କ ସରକାର ସେଇବର୍ଷ ଜୁଲାଇ ୧୫ ତାରିଖରେ ବିଲ୍ ଆଗତ କରାଇ ଜୁଲାଇ ୧୮ ତାରିଖ ଦିନ ରାଜାଙ୍କ ସ୍ୱୀକୃତି ହାସଲ କଲେ। ତା’ରି ବଳରେ ଭାରତରୁ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖ ଦିନ ଇଂରେଜ ସରକାର ଭାରତୀୟ ନେତାଙ୍କ ହାତରେ ଭାରତର ଶାସନ ଦାୟିତ୍ୱ ଅର୍ପଣ କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କଲେ ଏବଂ ସେଇ ଦିନଟିକୁ ସ୍ମରଣୀୟ କରାଇବା ପାଇଁ ଦେଶବାସୀ ସେବେଠୁ ଆଜି ପର୍ଯ୍ୟନ୍ତ ସ୍ୱାଧୀନତା ଦିବସ ପାଳନ କରୁଛନ୍ତି। ପ୍ରକାଶଯୋଗ୍ୟ ଇଂଲଣ୍ଡ ସରକାର ଭାରତରୁ ଇଂରେଜ ଶାସନ ଅପସାରଣର ନିଷ୍ପତ୍ତି ନେଇସାରିବା ପରେ ଭାଇସରାୟ ଲର୍ଡ ମାଉଣ୍ଟବ୍ୟାଟେନ ହିଁ ସେଇ ଅପସାରଣ ଦିନଟି ୧୯୪୭ ମସିହା ଅଗଷ୍ଟ ୧୫ ତାରିଖ ସ୍ଥିର କରିଥିଲେ। ସାରା ଭାରତର ଜ୍ୟୋତିଷମାନଙ୍କ ବିରୋଧ ସତ୍ତେ୍ୱ ନିଜ ଜୀବନର ଚରମ ବିଜୟ ଦିବସ ଭାବୁଥିବା ଅଗଷ୍ଟ ୧୫ ତାରିଖ ଶୁକ୍ରବାର ଦିନଟିକୁ ସେଇ ରିଅର ଆଡ୍ମିରାଲ ଲୁଇ ଫ୍ରାନ୍ସିସ୍ ଆଲବର୍ଟ ଭିକ୍ଟର ନିକୋଲାସ୍ ମାଉଣ୍ଟବ୍ୟାଟେନ ଭାରତର ସ୍ୱାଧୀନତା ଦିବସ ରୂପେ ଘୋଷଣା କରିଥିଲେ। ୧୯୪୫ ମସିହାର ସେଇଦିନ ଓ ସେଇ ତାରିଖରେ ସିଏ ମିତ୍ରଶକ୍ତି ପକ୍ଷରୁ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଦକ୍ଷିଣ ଏସଆର ସୁପ୍ରିମ ଆଲାଏଡ୍ କମାଣ୍ଡର ଥିଲାବେଳେ ତାଙ୍କ ପାଖରେ ଶକ୍ତିଶାଳୀ ଜାପାନ ତାର ୭୫ ହଜାର ସୈନ୍ୟଙ୍କ ସହିତ ଆତ୍ମସମର୍ପଣ କରିବା ପରେ ଦ୍ୱିତୀୟ ବିଶ୍ୱଯୁଦ୍ଧର ଅବସାନ ଘଟିଥିଲା। ଅନ୍ୟପକ୍ଷରେ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖ ଶୁକ୍ରବାର ଦିନଟି ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗୋଟିଏ ବଡ଼ ଅଶୁଭ ଦିନ ଥିଲା। ତେଣୁ ଆସାମ ପାର୍ବତ୍ୟାଞ୍ଚଳରେ ଯୋଗସାଧନାରେ ଲିପ୍ତ ରହି ସିଦ୍ଧିଲାଭ କରିଥିବା କଲିକତାର ସ୍ୱାମୀ ମଦନାନନ୍ଦ ତାର ବିରୋଧ କଲେ- “”ସେଦିନ ଭାରତ ମକର ଓ କର୍କଟ ରାଶିସ୍ଥ ହେବ। ପାପଗ୍ରହ ଶନି ଓ ଅନ୍ୟ ଦୁଷ୍ଟଗ୍ରହ ରାହୁ ଆତଙ୍କକାରୀ କେତୁ ଦ୍ୱାରା ପ୍ରଭାବିତ ହେବେ। ଜ୍ୟୋତିଷଶାସ୍ତ୍ର ଅନୁସାରେ ଏହା ଅକଥନୀୟ ଧ୍ୱଂସକାଣ୍ଡର ସୂଚକ ନିଶ୍ଚୟ।” ତା’ଛଡ଼ା ୧୯୪୭ ମସିହା ଅଗଷ୍ଟ ୧୫ ତାରିଖ ଦିନଟି ଗୋଟିଏ ଶୁକ୍ରବାର ଏବଂ ଅତୀତରେ ଯେଉଁ ଗୋଟିଏ ଶୁକ୍ରବାରରେ ଯୀଶୁଖ୍ରୀଷ୍ଟଙ୍କୁ କୃଶବିଦ୍ଧ କରାଯାଇଥିଲା। ଅନ୍ୟ ଗୋଟିଏ ଶୁକ୍ରବାର (୧୯୪୭ ମସିହା ଜୁଲାଇ ୧୮ ତାରିଖ) ଦିନ ଭାରତ ସ୍ୱାଧୀନତା ବିଲ୍କୁ ଇଂଲଣ୍ଡ ସରକାର ରାଜକୀୟ ମଞ୍ଜୁରୀ ଦେଇ ଭାରତ ପରି ବିରାଟ ଦେଶର ଶାସନ କ୍ଷମତା ସବୁଦିନ ପାଇଁ ହରାଇଥିଲା।” ବିଡ଼ମ୍ବନାର ବିଷୟ ଏହି କି ଯେ ପରବର୍ତ୍ତୀ ସମୟରେ ସେହିପରି ଗୋଟିଏ ଶୁକ୍ରବାରରେ ଭାରତର ଜାତିର ପିତା ମହାତ୍ମାଗାନ୍ଧୀଙ୍କୁ ଗୁଳି କରି ହତ୍ୟା କରାଗଲା। ଉପରୋକ୍ତ କ୍ଷମତା ହସ୍ତାନ୍ତର ଦିନ ବା ତାରିଖ ନିର୍ଦ୍ଧାରଣ
ପାଇଁ ସରକାର ଯଦି କଂଗ୍ରେସକୁ ସୁଯୋଗ ଦେଇଥାନ୍ତୋ ତାହେଲେ କଂଗ୍ରେସ ସେଥିପାଇଁ ନିଶ୍ଚୟ ଜାନୁଆରୀ ୨୬ ତାରିଖକୁ ସୁପାରିଶ କରିଥାନ୍ତା। କାରଣ ୧୯୨୯ ମସିହା ଲାହୋର ଅଧିବେଶନରେ କଂଗ୍ରେସର ପ୍ରମୁଖ ଦୁଇଟି ରିଜୋଲୁସନରୁ ଗୋଟିଏ ଥିଲା ୧୯୩୦ ମସିହା ଜାନୁଆରୀ ୨୬ ତାରିଖକୁ ସ୍ୱାଧୀନତା ଦିବସ ରୂପେ ପାଳନ କରାଯିବା। ଦୁଃଖର କଥା ସେଦିନ ରାବୀ ନଦୀ କୂଳରେ ଗାନ୍ଧିଜୀଙ୍କର ଯେଉଁ ତ୍ରିରଙ୍ଗା (ଲାଲ, ସବୁଜ ଓ ଧଳା ଯଥାକ୍ରମେ ହିନ୍ଦୁ, ମୁସଲମାନ ଓ ଭାରତ ଅନ୍ୟ ସମ୍ପ୍ରଦାୟର ପ୍ରତୀକୀକରଣ) ପତାକା ତଳେ କଂଗ୍ରେସ ଉକ୍ତ ରିଜୋଲୁସନ ଘୋଷଣା କରିଥିଲା ତାହା ପରବର୍ତ୍ତୀ ସ୍ୱାଧୀନତା ଆନ୍ଦୋଳନର ପ୍ରେରଣାର ଉତ୍ସ ଥିଲା। କିନ୍ତୁ ସ୍ୱାଧୀନତା ପରଠାରୁ ଆଜି ପର୍ଯ୍ୟନ୍ତ ଆମେ ଉଡ଼ାଉଥିବା ଜାତୀୟ ପତାକାରେ ଗାନ୍ଧିଜୀଙ୍କ ଚରଖ ପରିବର୍ତ୍ତେ ଅଶୋକଚକ୍ର ସ୍ଥାନ ପାଇଛି। ହେଲେ ସେଇ ବେତାଜ ବାଦ୍ସାଙ୍କର “ଜାତିର ପିତା’ ସମ୍ମାନ ଉପରେ ଆଜିଯାଏ ସରକାରୀ ମୋହର ବାଜିନଥିଲେ ବି ସମଗ୍ର ଭାରତବାସୀଙ୍କ ସହୃଦୟ ସ୍ୱୀକୃତିକୁ ଅସ୍ୱୀକାର କରାଯାଇ ନପାରେ। ଏ କ୍ଷେତ୍ରରେ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନଙ୍କ ଭବିଷ୍ୟତବାଣୀ – “”ଗାନ୍ଧୀଙ୍କୁ ଭବିଷ୍ୟତ ପିଢ଼ି ନିଶ୍ଚୟ ଈଶ୍ୱରଙ୍କ ଅବତାର ମାନିବେ।” ଦିନେ ସମ୍ଭବତଃ ସତ ହେବ। ଯେପର୍ଯ୍ୟନ୍ତ ଆକାଶରେ ସୂର୍ଯ୍ୟ-ଚନ୍ଦ୍ର ଥିବେ ସେ ପର୍ଯ୍ୟନ୍ତ ଏ ସ୍ୱାଧୀନତା ଦିବସ ପାଳନ ହେଉଥିବା ସହିତ ମହାତ୍ମା ଗାନ୍ଧୀଙ୍କୁ ସାରା ଭାରତବାସୀ ମନେ ପକାଉଥିବେ; ନିଃସେନ୍ଦହ।
ସୁନ୍ଦରପୁର, ବିଞ୍ଝାରପୁର, ଯାଜପୁର
ମୋ:୯୪୩୮୦୪୬୩୫୯