ନିର୍ବାଚନ ପୂର୍ବରୁ ଆରଜେଡି ଓ ଜେଡିୟୁରେ ବିଦ୍ରୋହ
ପାଟନା : ଆଗକୁ ଆସୁଛି ବିହାର ବିଧାନସଭା ନିର୍ବାଚନ । ନିର୍ବାଚନ ଘୋଷଣା ହୋଇନଥିଲେ ମଧ୍ୟ ଶାସକ ବିଜେପି ଓ ଜେଡିୟୁ ଏବଂ ବିରୋଧି ଆରଜେଡି ପକ୍ଷରୁ ନିର୍ବାଚନ ପ୍ରଚାର ଯୋରଦାର କରାଯାଇଛି । ଏସବୁ ଭିତରେ ଦଳରେ ଏବେ ବିର୍ଦୋହ ଦେଖାଯିବା ସହ ଦଳଡିଆଁ ପର୍ବ ଆରମ୍ଭ ହୋଇଯାଇଛି । ସେଥିପାଇଁ ଆରଜେଡି ପକ୍ଷରୁ ତା’ର ୩ଜଣ ବିଧାୟକଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ଜେଡିୟୁ ମଧ୍ୟ ଦଳ ବିରୋଧି ଅଭିଯୋଗରେ ଜଣେ ମନ୍ତ୍ରୀଙ୍କୁ ବହିସ୍କାର କରିଛି । ନୀତିଶଙ୍କ କ୍ୟାବିନେଟରେ ମନ୍ତ୍ରୀ ଥିବା ବରିଷ୍ଠ ଜେଡିୟୁ ନେତା ଶ୍ୟାମ ରଜାକଙ୍କୁ ଜେଡିୟୁ ବରଖାସ୍ତ କରିଛି । ଶ୍ୟାମ ରଜାକ ଦଳ ଛାଡୁଛନ୍ତି ବୋଲି ପ୍ରଚାର ହେବା ପରେ ଜେଡିୟୁ ତାଙ୍କୁ ବହିସ୍କାର କରିଛି । ଶ୍ୟାମ ରଜାକ ଅଅରଜେଡିରୁ ଜେଡିୟୁକୁ ଆସିଥିଲେ । ତେବେ ଜେଡିୟୁରୁ ବରଖାସ୍ତ ହେବା ପରେ ସେ ପୁଣି ଆରଜେଡିକୁ ଯାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ସେହିପରି ଦଳ ବିରୋଧି କାର୍ଯ୍ୟ ପାଇଁ ଆରଜେଡି ମଧ୍ୟ ୩ଜଣ ବିଧାୟକଙ୍କୁ ଦଳରୁ ନିଲମ୍ବିତ କରିଛି । ଦଳବିରୋଧି କାର୍ଯ୍ୟ ପାଇଁ ବିଧାୟକ ମହେଶ୍ୱର ପ୍ରସାଦ,ପ୍ରେମା ଚୈାଧୂରୀ ଓ ଫରାଜ ଫାଜମୀଙ୍କୁ ଆରଜେଡି ନିଲମ୍ବିତ କରିଛି । ଏହି ତିନିଜଣ ବିଧାୟକ ଜେଡିୟୁରେ ସାମିଲ ହୋଇ ପାରନ୍ତି ବୋଲି ଚର୍ଚ୍ଚା ଯୋର ଧରିଛି । ଗତ ଫେବୃଆରୀ ମାସରୁ ମହେଶ୍ୱର ପ୍ରସାଦ ଆରଜେଡି ବିରୋଧରେ ବିଦ୍ରୋହ କରିବା ଆରମ୍ଭ କରିଥିଲେ । ଅନ୍ୟ ପକ୍ଷରେ କରୋନା ବିପତ୍ତି ପାଇଁ ବିହାରରେ ଉପଯୁକ୍ତ ସମୟରେ ନିର୍ବାଚନ ନହେବାର ଆଶଙ୍କା ପରିପ୍ରେକ୍ଷୀରେ ସେଠାରେ ରାଷ୍ଟ୍ରପତି ଶାସନର ସମ୍ଭବନା ଦେଖା ଦେଇଛି । ଏହାକୁ ନେଇ ଜେଡିୟୁ ଓ ବିଜେପି ମଧ୍ୟରେ ମତଭେଦ ଦେଖା ଦେଇଛି ।