Sat, Aug 02, 2025 | UPDATED 11:10PM IST

ଶତୃର ନାଁ ନେବାକୁ ଭୟ କାହିଁକି ? ମୋଦିଙ୍କ ଲାଲକିଲ୍ଲା ଭାଷଣକୁ ନେଇ ଉଠିଲା ପ୍ରଶ୍ନ

news-details

ଶତୃର ନାଁ ନେବାକୁ ଭୟ କାହିଁକି ? ମୋଦିଙ୍କ ଲାଲକିଲ୍ଲା ଭାଷଣକୁ ନେଇ ଉଠିଲା ପ୍ରଶ୍ନ  

କମଳାକାନ୍ତ ପତି : ପୂର୍ବ ଲଦାଖ୍ ଅଞ୍ଚଳର ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ.ଏ.ସି)ରେ ଥିବା ଗଲୱନ ଘାଟିରେ ଚୀନ ସେନା ସହ ସଂଘର୍ଷରେ ସହିଦ୍ ହୋଇଗଲେ ଜଣେ ଭାରତୀୟ ସେନାର ଜଣେ ଅଧିକାରୀଙ୍କ ସମେତ ୨୦ଜଣ ଯବାନ । ସେବେଠାରୁ ଏଲ.ଏ.ସି ସଂଲଗ୍ନ ଇଲାକାରେ ଉତ୍ତେଜନା ରହିଛି । ଗତ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଚାନକ ଲଦାଖ୍ ସୀମାନ୍ତ ଅଞ୍ଚଳ ଗସ୍ତ କରି ନିମୁ ଠାରେ ଭାରତୀୟ ଯବାନ ମାନଙ୍କୁ ଅମର୍ଷିବାଣୀ ଶୁଣାଇ ଆସିଛନ୍ତି । ସୀମାରେ ଛିଡା ହୋଇ ଭାଷଣା ପ୍ରସଙ୍ଗରେ ବିସ୍ତାରବାଦୀ ଆଭିମୁଖ୍ୟ ରଖୁଥିବା ପଡୋଶୀ ଦେଶକୁ ଚେତାବନୀ ମଧ୍ୟ ଶୁଣାଇଛନ୍ତି । କିନ୍ତୁ ଭାଷଣାରେ ସେ କେଉଁଠି ହେଲେ ଚୀନ କିମ୍ବା ପାକିସ୍ତାନର ନାମ ଉଚ୍ଚାରଣ କରିନଥିଲେ । ତାହାକୁ ନେଇ ସେତେବେଳେ ବିରୋଧି ପକ୍ଷ ପ୍ରଶ୍ନ ଉଠାଇଥିଲେ । ଆଶା କରାଯାଉଥିଲା ମୋଦି ସ୍ୱାଧିନତା ଦିବସ ଅବସରରେ ଲାଲକିଲ୍ଲା ଉପରୁ ମୋଦି ସିଧାସଳଖ ଶତୃପକ୍ଷର ନାମ ନେଇ ସିଧା ସଳଖ ବର୍ଷିବେ । ମାତ୍ର ମୋଦିଙ୍କର ପ୍ରାୟ ଦୀର୍ଘ ଦେଢଘଣ୍ଟା ଭାଷଣରେ କେଉଁଠି ହେଲେ ଚୀନର ନାଁ ଶୁଣିବାକୁ ମିଳିଲା ନାହିଁ । ଚୀନ ସେନା ଭାରତୀୟ ସୀମା ମଧ୍ୟକୁ ମାଡି ଆସି ରକ୍ତାକ୍ତ ସଂଘର୍ଷରେ ଲିପ୍ତ ହୋଇଥିଲେ ମଧ୍ୟ ମୋଦି ସିଧାସଳଖ ସେହି ପ୍ରସଙ୍ଗ ଉଠାଇଲେ ନାହିଁ । ବରଂ କହିଲେ ନିୟନ୍ତ୍ରଣ ରେଖା (ଏଲ.ଏ.ସି) ଠାରୁ ଏଲଏସି ପର୍ଯ୍ୟନ୍ତ ଦେଶର ସାର୍ବଭୈାମତ୍ୱ ଚ୍ୟାଲେଞ୍ଜ ଜଣାଇ ଯଦି କେହି ଚ୍ୟାଲେଞ୍ଜ ଜଣାଇଛି , ଭାରତୀୟ ସେନା ସେମାନଙ୍କୁ ଉପଯୁକ୍ତ ଜବାବ ଦେଇଛନ୍ତି । ଏହି ପରିପ୍ରେକ୍ଷିରେ ମୋଦି ଲଦାଖ୍ ରେ ଭାରତୀୟ ସେନା ମାନଙ୍କର ସାହସିକତାକୁ ପ୍ରଂଶସା କରିଥିଲେ ମଧ୍ୟ କୈାଶଳ କ୍ରମେ ଚୀନର ନାମକୁ ଏଡାଇ ଯାଇଥିଲେ ।

   ସୀମାନ୍ତରେ ପିପୁଲ୍ସ ଲିବରେସନ ଆର୍ମି(ପି.ଏଲ.ଏ)ର ଔଦ୍ଧତ୍ୟ ଦିନକୁ ଦିନ ବଢି ଚାଲିଛି । ସାମରିକ ସ୍ତରରେ ବାରମ୍ବାର ବୈଠକ ବସି ଭାରତ-ଚୀନ କମାଣ୍ଡର ମାନେ ଆଲୋଚନା କରୁଥିଲେ ମଧ୍ୟ ଚୀନ ସୈନ୍ୟ ମାନେ ପଛକୁ ହଟୁନାହାନ୍ତି । ପ୍ରତିରକ୍ଷା ସୂତ୍ରରୁ ସୂଚନା ମୁତାବକ ଏବେ ବି କେତେକ ଭାରତୀୟ ଅଞ୍ଚଳରେ ଚୀନ ସୈନ୍ୟଙ୍କ ଆଡ୍ଡା ରହିଛି । ଏହା ସତ୍ତ୍ୱେ ଭାରତର ଶତୃ ବୋଲି ପ୍ରମାଣ ଦେଇ ସାରିଥିବା ଚୀନର ନାମ ମୁହଁରେ ଉଚ୍ଚାରଣ କରୁନାହାନ୍ତି କାହିଁକି ପ୍ରଧାନମନ୍ତ୍ରୀ । କଂଗ୍ରେସର ପ୍ରଶ୍ନ ଯେଉଁମାନେ ଦେଶର କ୍ଷମତାରେ ଅଛନ୍ତି ସେମାନେ ଚୀନ ନାମ ଉଚ୍ଚାରଣ ପାଇଁ କାହିଁକି ଭୟ କରୁଛନ୍ତି ।

      ଲଦାଖ୍ ର ଗଲୱାନ ଘାଟିରେ ଯେଉଁ ରକ୍ତାକ୍ତ ସଂଘର୍ଷ ଘଟିଲା ଏବଂ ଚୀନ ସେନା ଭାରତୀୟ ଅଞ୍ଚଳ ମାଡି ବସିଥିବା ପ୍ରସଙ୍ଗକୁ ନେଇ ବାରମ୍ବାର ମୋଦି ସରକାରଙ୍କୁ ଟାର୍ଗେଟ କରିଆସୁଛନ୍ତି କଂଗ୍ରେସ ନେତା ରାହୁଲଗାନ୍ଧୀ । କେନ୍ଦ୍ର ସରକାରର ମନ୍ତ୍ରୀ ଓ ବିଜେପିର ମୁଖପାତ୍ର ମାନେ ରାହୁଲଙ୍କର ଲଦାଖ୍ ନେଇ ପ୍ରଶ୍ନକୁ ବାରମ୍ବାର ଏଡାଇ ଦେଇ ଆସୁଛନ୍ତି । ଏଭଳି ପ୍ରଶ୍ନ ଉଠାଇ ରାହୁଲ ଚୀନକୁ ସୁହାଇବା ଭଳି ଆଭିମୁଖ୍ୟ ଗ୍ରହଣ କରୁଛନ୍ତି ବୋଲି ପାଲଟା ସମାଲୋଚନା କରୁଛନ୍ତି । କିନ୍ତୁ ମୋଦି କିମ୍ବା ପ୍ରତିରକ୍ଷା  ମନ୍ତ୍ରୀ ରାଜନାଥ ସିଂହ କାହିଁକି ସିଧାସଳଖ ଚୀନର ନାମ ତୁଣ୍ଡରେ ଧରୁନାହାନ୍ତି ସେହି ପ୍ରଶ୍ନରେ ସେମାନେ ନୀରବ ।

  ଲାଲକିଲ୍ଲା ଭାଷଣାରେ ମୋଦି କେବଳ ପରୋକ୍ଷ ଚେତାବନୀ ଦେଇ ଚୀନ ଓ ପାକିସ୍ତାନର ନାମକୁ ଏଡାଇଯିବା ଘଟଣା କଂଗ୍ରେସକୁ ଅଧିକ ବିଚଳିତ କରିଛି । ଲାଲକିଲ୍ଲାରେ ମୋଦିଙ୍କ ଭାଷଣର ପରେ ପରେ କଂଗ୍ରେସ ପକ୍ଷରୁ ଦିଲ୍ଲୀସ୍ଥିତ ସଦର କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରାଯାଇଥିଲା । ପରେ କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜୱାଲା ସାମ୍ବାଦିକଙ୍କ ସାମ୍ନାରେ ମୋଦିଙ୍କ ଭାଷଣର ବିଭିନ୍ନ ଦିଗକୁ ନେଇ ଆଲୋଚନା କରିଥିଲେ । ସେ କହିଥିଲେ ଯେ, ଦେଶର ୧୩୦ କୋଟି ଜନତା  ଏବଂ ପ୍ରତ୍ୟେକ କଂଗ୍ରେସ ସଦସ୍ୟ ଆମର ସେନା ବାହିନୀକୁ ନେଇ ଗର୍ବ କରନ୍ତି । ସେନା ବାହିନୀ ଉପରେ ଆମର ପୂର୍ଣ୍ଣ ଆସ୍ଥା ରହିଛି । ଚୀନ ଯେତେବେଳେ ଆକ୍ରମଣ କରିଛି ଭାରତୀୟ ସେନା ସେମାନଙ୍କୁ ଉପଯୁକ୍ତ ଜବାବ ଦେଇଛି । କିନ୍ତୁ ଏବେ ଦେଶରେ ଯେଉଁମାନେ କ୍ଷମତାରେ ଅଛନ୍ତି , ସେମାନେ ଚୀନର ନାମ ନେବାକୁ କାହିଁକି ଭୟ କରୁଛନ୍ତି ତାହା ସାଧାରଣ ଜନତା ବୁଝିପାରୁନାହାନ୍ତି । ଏନେଇ ପ୍ରତ୍ୟେକ ଭାରତୀୟ ସରକାରଙ୍କୁ ପ୍ରଶ୍ନ କରିବା ଉଚିତ । ପଚାରିବା ଉଚିତ ଯେ, ଆଜି ପର୍ଯ୍ୟନ୍ତ ଚୀନ ସେନା ମାନେ ଭାରତର ଯେଉଁ ଅଞ୍ଚଳକୁ ମାଡି ବସିଛନ୍ତି ସେମାନଙ୍କୁ ହଟାଇବା ସକାଶେ ସରକାର କି ପଦକ୍ଷେପ ଗ୍ରହଣ କରିଛନ୍ତି ? ସ୍ୱାଧିନତା ଦିବସ ଅବସରରେ ଏହି ପ୍ରଶ୍ନ ତୋଳି ଧରିବା ଦରକାର । ସରକାରଙ୍କୁ ପ୍ରଶ୍ନ କରିବାର ପ୍ରକୃତ ଅର୍ଥ ଗଣତନ୍ତ୍ର ।

  ଅଭିଯୋଗ ଉଠୁଛି ଯେ,ବର୍ତ୍ତମାନର ସରକାର ସମୟରେ ମଣିଷର ବାକ୍ ସ୍ୱାଧିନତାକୁ ଖର୍ବ କରି ଦିଆଯାଇଛି । ତେଣୁ ଅନେକ ପ୍ରଶ୍ନ ଉଠାଇବା ଆରମ୍ଭ କଲେଣି ଏବର କ୍ଷମତାଶୀନ ବ୍ୟକ୍ତି ମାନେ କ’ଣ ଗଣତନ୍ତ୍ରରେ ବିଶ୍ୱାସ କରୁଛନ୍ତି ?

Posted in Currency Top News :

You can share this post!