ଚାକିରି ସୁଯୋଗ ଦିଗହରା :
ଏବେ ଆତ୍ମନିର୍ଭରଶୀଳତାର ଆହ୍ୱାନ
କମଳାକାନ୍ତ ପତି : ମନେପଡେ ୨୦୧୯ ଅଗଷ୍ଟରେ ଲାଲକିଲ୍ଲା ଉପରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣ । ବେଶ ଉଚ୍ଚ ସ୍ୱରରେ ପ୍ରଧାନମନ୍ତ୍ରୀ ସେଦିନ ଘୋହଣା କରିଥିଲେ ଆଗାମୀ ପାଞ୍ଚ ବର୍ଷରେ ଭାରତର ଅର୍ଥନୀତି ୫ଟ୍ରିଲିୟନ ଡଲାର ଅର୍ଥାତ ୫ ଲକ୍ଷ କୋଟି ଡଲାରରେ ପହଞ୍ଚିବ । ସେତେବେଳେ ଅର୍ଥନୀତିବିତ୍ ମାନେ କହିଥିଲେ -ଯଦି ଏଭଳି ଘଟେ ତେବେ ତା ପଛରେ ସରକାରଙ୍କର କୈାଣସି କୃତୀତ୍ୱ ରହିବ ନାହିଁ । ବୃଦ୍ଧିରେ ସ୍ୱାଭାବିକ ନିୟମରେ ଏହି ଅଙ୍କରେ ପହଞ୍ଚି ଯାଇପାରିବ ଭାରତର ଅର୍ଥନୀତି । ମୋଦିଙ୍କର ଏହି ଘୋଷଣାର ବର୍ଷକ ପରେ ସେହି ‘ସ୍ୱାଭାବିକ’ ଘଟଣା ମରିଚିକାରେ ପରିଣତ ହୋଇଛି । ପୂର୍ବରୁ ବିମୁଦ୍ରିକରଣ ଓ ଜିଏସଟି ଯୋଗୁଁ ଅର୍ଥନୀତି ଶୀଥିଳ ହୋଇ ପଡିଥିବା ବେଳେ ଏବେ କରୋନା ମହାମାରୀ କାରଣରୁ ଲକ୍ ଡାଉନ ପ୍ରଭାବରେ ବଜାର ଅର୍ଥନୀତି ଶୋଇ ପଡିଛି । ବିଶ୍ୱବ୍ୟାଙ୍କ ମତ ଦେଇ ସାରିଲାଣି ଯେ,ଭାରତର ମୋଟ ଘରୋଇ ଉତ୍ପାଦ ୩.୨ ପ୍ରତିଶତକୁ ହ୍ରାସ ପାଇବ । ଆଇଏମଏଫ କହୁଛି ଅର୍ଥନୀତି ସଂକୋଚନ ହାର ୪.୫ ପ୍ରତିଶତ ହେବ । ଆଇସିଆଇ ଆଉ ଗୋଟିଏ ପାଦ ଆଗକୁ ବଢି ମତ ଦେଉଛି ଯେ,ଜିଡିପିର ସଂକୋଚନ ୯.୫ ପର୍ଯ୍ୟନ୍ତ ହୋଇପାରେ । ଏଭଳି ସ୍ଥିତିରେ ଭାରତର ରିଜର୍ଭ ବ୍ୟାଙ୍କ ତା’ର ପୂର୍ବାନୁମାନ ବନ୍ଦ କରିଦେଲାଣି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ଭବତଃ ଅର୍ଥନୀତିର ଅଧୋଗତିକୁ ଲକ୍ଷ କରି ଆତ୍ମନିର୍ଭର ଭାରତ ଉପରେ ଯୋର ଦେବାକୁ ବାଧ୍ୟ ହେଲେଣି । ଏବର୍ଷ ମୋଦିଙ୍କର ଲାଲକିଲ୍ଲା ଭାଷଣ କେବଳ ଆତ୍ମନିର୍ଭର ଭାରତ ଉପରେ କେନ୍ଦ୍ରୀଭୂତ ରହିଥିଲା ।
ମୋଦି ତାଙ୍କର ସ୍ୱାଧିନତା ଭାଷଣରେ ଆତ୍ମନିର୍ଭର ଭାରତ ଗଢିବାର ଆହ୍ୱାନ ଦେଇଛନ୍ତି । ସେଥିପାଇଁ ଆତ୍ମତ୍ସୋଗ କଥା ମଧ୍ୟ କହିଛନ୍ତି । ଏହା ଭିତରେ ଯୁବ ସମାଜର ସ୍ୱାବଲମ୍ବୀ ହେବାର ସ୍ୱପ୍ନ ଓ ନିଯୁକ୍ତି ସୁଯୋଗର ସୃଷ୍ଟିର କଥା ଅକୁହା ହୋଇ ରହିଯାଇଛି । ପ୍ରତିବର୍ଷ ଦୁଇ କୋଟି ଚାକିରିର ସୁଯୋଗ ସୃଷ୍ଟିର ପ୍ରତିଶୃତି ଦେଇ ଦିଲ୍ଲୀର କ୍ଷମତା ଦଖଲ କରିଥିଲେ ମୋଦିଙ୍କ ନେତୃତ୍ୱାଧିନ ଭାରତୀୟ ଜନତା ପାର୍ଟିର ସରକାର । ଏବେ ସେହି ନୂଆ ଚାକିରିର ସୃଷ୍ଟିକଥା ନୂଆ ଭାରତର ସ୍ୱପ୍ନମହଲରେ ଅନୁପସ୍ଥିତ । ବରଂ ଦେଶର ବିଧ୍ୱଂସ୍ଥ ଅର୍ଥନୀତି ବେରୋଜଗାର ହାରକୁ ଦିନକୁ ଦିନ ବଢାଇ ଚାଲିଛି । କେବଳ କରୋନା ପରିପ୍ରେକ୍ଷିରେ ଦେଶରେ ବେକାର ହୋଇଗଲେଣି ୧୪ କୋଟି ଲୋକ ।
ସରକାରଙ୍କ ପରିକଳ୍ପନା ଅନୁଯାଇ ଭିତ୍ତିଭୂମି ନିର୍ମାଣ ସକାଶେ ବିପୁଳ ନିବେଶ ଆସିଲେ କର୍ମସଂସ୍ଥାନର ସୁଯୋଗ ଆସିବ । ପ୍ରଶ୍ନ ଉଠୁଛି ଏହି ନିବେଶ ଆସିବ କେଉଁଠୁ । ସେ ନେଇ ସରକାରଙ୍କ ଘୋଷଣା ଅସ୍ପଷ୍ଟ । ପ୍ରଧାନମନ୍ତ୍ରୀ ଲାଲକିଲ୍ଲା ଉପରୁ ଘୋଷଣା କରିଛନ୍ତି ଯେ,୧୧୦ ଲକ୍ଷ କୋଟି ଟଙ୍କା ବିନିଯୋଗ ପାଇଁ ୭ ହଜାର ପ୍ରକଳ୍ପ ଚିହ୍ନଟ କରାଯାଇଛି । ତାଙ୍କର କହିବା କଥା ହେଉଛି ସଂକଟ ସମୟରେ ଆର୍ଥୀକ ପ୍ରଗତି ପାଇଁ ଭିତ୍ତିଭୂମି କ୍ଷେତ୍ରରେ ବିପୁଳ ବିନିଯୋଗ ଜରୁରୀ । ଯାହା ଫଳରେ କାର୍ଯ୍ୟର ସୁଯୋଗ ସୃଷ୍ଟି ହୋଇପାରିବ । କିନ୍ତୁ ଏହି ଅନିଶ୍ଚତତା ସମୟରେ ଭିତ୍ତିଭୂମି ପ୍ରକଳ୍ପ ଗୁଡିକ ପାଇଁ ପୁଞ୍ଜିନିବେଶ ସକାଶେ ବେସରକାରୀ ସଂସ୍ଥା ଗୁଡିକ ଆଗେଇ ଆସିବେ କି ? ଅର୍ଥନୀତିକୁ ଗତିଶୀଳ କରିବା ପାଇଁ ସରକାର କେତେ ଅର୍ଥ ବିନିଯୋଗ କରିପାରିବେ ? ସରକାର ଇତି ମଧ୍ୟରେ ଆତ୍ମନିର୍ଭର ଭାରତ ପାଇଁ ଋଣ ସୁବିଧା ସର୍ବସ୍ୱ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରି ସାରିଛନ୍ତି । କିନ୍ତୁ ସରକାରଙ୍କ ଏହି ଘୋଷଣାକୁ ସାଧାରଣ ଜନତାଙ୍କୁ ଖୁସି କରି ପାରିବ ନାହିଁ । ଏବେ ଭିତ୍ତିଭୂମି ପ୍ରକଳ୍ପ ଗୁଡିକ ସକାଶେ ସରକାର କେତେ ଅର୍ଥ ବିନିଯୋଗ କରି ଅର୍ଥନୀତିର ଗତିକୁ ବେଗବାନ କରାଇପାରିବେ ବୋଲି ବିରୋଧି ପ୍ରଶ୍ନ କଲେଣି ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ମୁହଁରୁ ଏବେ ଶୁଣିବାକୁ ମିଳୁଛି ଏବେ ଚାକିରି ପ୍ରାର୍ଥୀ ହୁଅନାହିଁ । ବର୍ତ୍ତମାନର ପୀଢି କର୍ମଯୋଗାଣର କ୍ଷମତା ରଖିବା ଉଚିତ । ପ୍ରଶ୍ନ ଉଠୁଛି ପ୍ରଧାନମନ୍ତ୍ରୀ କ’ଣ ନିଯୁକ୍ତି ସୁଯୋଗ ସୃଷ୍ଟି କଥା ଭୁଲିଗଲେ ? ପ୍ରତ୍ୟେକ ନିଜସ୍ୱ ବ୍ୟବସାୟରେ ଛିଡା ହୁଅନ୍ତୁ ବୋଲି ତାଙ୍କର ଆହ୍ୱାନ । ଏହା କ’ଣ ମୋଦିଙ୍କର ଆତ୍ମନିର୍ଭରର ନୂଆମନ୍ତ୍ର ! ବିରୋଧିଙ୍କ ପ୍ରଶ୍ନ ସମସ୍ତଙ୍କ ପକ୍ଷେ ବ୍ୟବସାୟ କରିବା ସମ୍ଭବ କି ! କୈାଣସି ନୂଆ ବ୍ୟବସାୟ ସେତେବେଳେ ସଫଳ ହେବ , ଯେତେବେଳେ ଦେଶର ଅର୍ଥନୀତି ଅନୁକୂଳ ରହିଥିବ । ସରକାର ଯଦି ଅର୍ଥନୀତିର ଚକରେ ଗତି ଫେରାଇ ଆଣି ପାରନ୍ତି ତେବେ ବ୍ୟବସାୟ କରି ଆତ୍ମନିର୍ଭର ହେବା ହୁଏତ ସମ୍ଭବ ହୋଇପାରେ ।
ପ୍ରଧାନମନ୍ତ୍ରୀ ଏବେ ଆମଦାନୀ ନିର୍ଭରତା ହ୍ରାସ କରିବା ପାଇଁ ସ୍ୱାବଲମ୍ବୀ ହେବାର ଆହ୍ୱାନ ଦେଉଛନ୍ତି । ଏହି ପରିପ୍ରେକ୍ଷିରେ ବିରୋଧିଙ୍କ ପ୍ରଶ୍ନ ମୋଦି କ’ଣ ତାଙ୍କର ‘ମେକ ଇନ ଇଣ୍ଡିଆ’ ପ୍ରଚାରକୁ ‘ଆତ୍ମନିର୍ଭର ଭାରତ’ରେ ପରିଣତ କରିଦେଲେଣି । ପ୍ରଧାନମନ୍ତ୍ରୀ ଭୁଲିଯିବା ଉଚିତ ନୁହେଁ ଯେ, କେବଳ ପ୍ରଚାର ପାଇଁ ନାମ ବଦଳାଇ ଦେଲେ କାର୍ଯ୍ୟର ସୁଯୋଗ ସୃଷ୍ଟି ହୋଇଯିବ ନାହିଁ । ସେଥିପାଇଁ ସରକାର ପ୍ରଥମେ ଭିତ୍ତିଭୂମି ଗଢିବାର ପ୍ରୟାସ କରିବା ଉଚିତ ବୋଲି ବିରୋଧି ମତ ଦେଉଛନ୍ତି ।