Sat, Oct 25, 2025 | UPDATED 03:20PM IST

ଶିକ୍ଷା, ସଚେତନତା ମାଧ୍ୟମରେ ମଧ୍ୟସ୍ଥତା ସଂସ୍କୃତି ସୃଷ୍ଟି କରିବା ଉପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୁରୁତ୍ୱାରୋପ

news-details

ଶିକ୍ଷା, ସଚେତନତା ମାଧ୍ୟମରେ ମଧ୍ୟସ୍ଥତା ସଂସ୍କୃତି ସୃଷ୍ଟି କରିବା ଉପରେ    କେନ୍ଦ୍ରମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନଙ୍କ ଗୁରୁତ୍ୱାରୋପ  

ଭୁବନେଶ୍ୱର ୨୮. ୦୯. ୨୦୨୫ ଦୁଇ-ଦିନିଆ ଦ୍ୱିତୀୟ ଜାତୀୟ ମଧ୍ୟସ୍ଥତା ସମ୍ମିଳନୀ-୨୦୨୫ର ଉଦଯାପନୀ ସମାରୋହ  ଆଜି ସନ୍ଧ୍ୟାରେ ଭୁବନେଶ୍ୱର ସ୍ଥିତ ରାଜ୍ୟ କନଭେନସନ ସେଣ୍ଟର , ଲୋକସେବା ଭବନ ଠାରେ ଉଦଯାପିତ ହୋଇଯାଇଛି ।  

ସମ୍ମିଳନୀର   ଉଦଯାପନୀ ସମାରୋହରେ  ସୁପ୍ରିମ କୋର୍ଟର ନ୍ୟାୟମୂର୍ତ୍ତି ଶ୍ରୀ ଏମ.ଏମ. ସୁନ୍ଦରେଶ ଯୋଗଦେଇ ରାମାୟଣ ଯୁଗର ଉଦାହରଣ ଦେଇ କହିଲେ ଯେ  ମହାବୀର ହନୁମାନ ହେଉଛନ୍ତି ଜଣେ ବଡ଼ ମଧ୍ୟସ୍ଥି । କାରଣ ସେ ସତ୍ୟ ଓ ନ୍ୟାୟର ମଧ୍ୟସ୍ଥତା ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇଥିଲେ  । ତେଣୁ ମଧ୍ୟସ୍ଥତାର ପ୍ରାସଙ୍ଗିକତା ଅତୀବ ପୁରାତନ । ଏହାକୁ ବର୍ତ୍ତମାନ ଉପଯୋଗୀ କରିବାର ଆବଶ୍ୟକତା ରହିଛି ବୋଲି ମାନ୍ୟବର ନ୍ୟାୟମୂର୍ତ୍ତୀ ପ୍ରକାଶ କରିଥିଲେ । 

 ଭାରତ ସରକାରଙ୍କ  ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ  ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ କହିଲେ ଯେ,  ଓଡ଼ିଶା ମାଟି ହେଉଛି ମଧ୍ୟସ୍ଥତାର ମାଟି । ଆମର ଜଗନ୍ନାଥ  ସଂସ୍କୃତି ଓ ପରମ୍ପରା ହେଉଛି  ମଧ୍ୟସ୍ଥତାର ଏକ ନିଚ୍ଛକ ପ୍ରଦର୍ଶନ ।  ଆମ ଦେଶରେ ଏବେ ପ୍ରାୟ ୪  କୋଟି ବିଭିନ୍ନ ମାମଲା ରହିଛି ।  ଏହାକୁ ସମାଧାନ କରିବାରେ ମଧ୍ୟସ୍ଥତା ଉଲ୍ଲେଖନୀୟ ଯୋଗଦାନ କରିବ । କରୋନା ମହାମାରୀ ଆମକୁ ଅନ୍ ଲାଇନ୍ ମାଧ୍ୟମରେ ମାମଲା ଶୁଣାଣି ପାଇଁ  ପଥ ଦେଖାଇଥିଲା ।  ଏବେ ବୈଷୟିକ ଜ୍ଞାନ କୌଶଳ ବୃଦ୍ଧି ପାଇଛି । କୃତ୍ତିମ ବୁଦ୍ଧିମତ୍ତା ଉପଯୋଗ ହେଉଛି ।  ବିଭିନ୍ନ ରାଜ୍ୟରେ ମାତୃଭାଷାରେ ଆଇନଗତ ମାମଲାର ଶୁଣାଣି କରାଯିବା ଉପରେ ସେ ମତ ରଖିଥିଲେ ।  ବିବାଦ ସୃଷ୍ଟି ନକରାଯିବା, ଗଣତାନ୍ତ୍ରିକ ମୂଲ୍ୟବୋଧ ବଜାୟ ରଖିବା, ଶିକ୍ଷା, ସଚେତନତା ମାଧ୍ୟମରେ ମଧ୍ୟସ୍ଥତା ସଂସ୍କୃତି ସୃଷ୍ଟି କରିବା ଉପରେ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଥିଲେ ।  

ମାନ୍ୟବର କେନ୍ଦ୍ର  ଆଇନ ଓ ନ୍ୟାୟ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅର୍ଜୁନ ରାମ ମେଘୱାଲ,  ଯୋଗଦେଇ ସଭାକୁ ସମ୍ବୋଧନ କରି କହିଲେ ଯେ, ମଧ୍ୟସ୍ତତା ବିଭିନ୍ନ କ୍ଷେତ୍ରରେ ରହୁଥିବା ମାମଲାରେ ବିବାଦ ସମାଧାନର ବିକଳ୍ପ ବ୍ୟବସ୍ଥା l ଏହି ସମ୍ମିଳନୀରୁ ଆଲୋଚିତ  ନିଷ୍କର୍ଷ ଆଧାରରେ  ଦେଶରେ ମଧ୍ୟସ୍ତତା ବ୍ୟବସ୍ଥାରେ ଉନ୍ନତି ପାଇଁ  ସମସ୍ତ ପ୍ରୟାସ କରାଯିବ ବୋଲି ସେ ପ୍ରକାଶ କରିଥିଲେ l

ସର୍ବୋଚ୍ଚ  ନ୍ୟାୟାଳୟର ମାନ୍ୟବର ବିଚାରପତି ନ୍ୟାୟମୂର୍ତ୍ତି ଅହସାନୁଦ୍ଦିନ ଅମାନୁଲ୍ଲାହ ଯୋଗ ଦେଇ କହିଲେ ଯେ ଆଇନ ଗତ ମାମଲାରେ ଜଣେ ଜିତେ ଓ ଜଣେ ହାରେ l ତେଣୁ  ଜଣେ ଦୁଃଖ ପାଏ l କିନ୍ତୁ ମଧ୍ୟସ୍ତତା ଜରିଆରେ ହୋଇଥିବା ମାମଲାର ସମାଧାନରେ ଉଭୟ ପକ୍ଷ ସନ୍ତୁଷ୍ଟ ହୋଇଥାନ୍ତି l

ସର୍ବୋଚ୍ଚ ନ୍ୟାୟାଳୟର ଅନ୍ୟତମ ବିଚାରପତି ନ୍ୟାୟ ମୂର୍ତ୍ତି ସଞ୍ଜୟ କରୋଲ ଯୋଗ ଦେଇ   ଆଇନ ଗତ ମାମଲା ଫଇସଲାରେ ମଧ୍ୟସ୍ତତାର ଆବଶ୍ୟକତା ସମ୍ପର୍କରେ ମତ ରଖି କହିଲେ ଯେ, ଦେଶରେ ବିଭିନ୍ନ ଆଇନଗତ ମାମଲା ବଢି ଚାଲିଛି । ବିଶେଷ କରି ସମାଜର ଅବହେଳିତ ବର୍ଗର ଲୋକେ ସେମାନଙ୍କର ନ୍ୟାର୍ଯ୍ୟ ଅଧିକାର ପାଇବାକୁ ବଂଚିତ ହେଉଛନ୍ତି ।  ସମ୍ମିଳନୀରେ ଯୋଗଦେଇଥିବା ବିଚାରପତି, ଆଇନଜୀବୀ ଏବଂ ମହାଧିବକ୍ତା, ପ୍ରଶାସନିକ ଅଧିକାରୀମାନଙ୍କୁ ଏ ସଂପର୍କରେ ଚିନ୍ତା କରିବାର ଆବଶ୍ୟକତା ରହିଛି । ତୃଣମୂଳସ୍ତରରେ ରହୁଥିବା ସମସ୍ୟାକୁ ସମାଧାନ କରିବାରେ ସମସ୍ତଙ୍କର ସମ୍ମିଳିତ ପ୍ରୟାସ କରିବାକୁ ସେ ଆହ୍ୱାନ ଦେଇଥିଲେ ।  

ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ  ବିଚାରପତି ନ୍ୟାୟମୂର୍ତ୍ତି ଶ୍ରୀ ହରିଶ ଟାଣ୍ଡନ, ମୁଖ୍ୟ ବିଚାରପତି, ଯୋଗ ଦେଇ କହିଲେ ଯେ,  ରାଜନୈତିକ ହେଉ ବା ଅନ୍ୟ ବିଭିନ୍ନ କ୍ଷେତ୍ରରେ ହେଉ, ବିବାଦ ଉପୁଜିବା ପୂର୍ବରୁ ମଧ୍ୟସ୍ଥତାର ଗୁରୁତ୍ୱପୂର୍ଣ୍ଣ  ଆବଶ୍ୟକତା ରହିଛି l ମଧ୍ୟସ୍ତତା ପାଇଁ  ସଂସ୍ଥାଗତ ଦକ୍ଷତା ବୃଦ୍ଧିର ଆବଶ୍ୟକତା ସମ୍ପର୍କରେ ସେ ଆଲୋକପାତ କରିଥିଲେ l ମେଘାଳୟରେ ଅନୁଷ୍ଠିତ ହେବାକୁ ଥିବା ୩ୟ ମଧ୍ୟସ୍ଥତା             ସମ୍ମିଳନୀ ପାଇଁ  ସେ  ସଫଳତା କାମନା କରିଥିଲେ l 

ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର ବିଚାରପତି  ନ୍ୟାୟମୂର୍ତ୍ତି ଶ୍ରୀ ସଙ୍ଗମ ସାହୁ, ନ୍ୟାୟମୂର୍ତ୍ତି ଶ୍ରୀ କୃଷ୍ଣ ରାମ ମହାପାତ୍ର, ନ୍ୟାୟମୂର୍ତ୍ତି ଡଃ. ସଞ୍ଜୀବ କୁମାର ପାଣିଗାହୀ,  ଭାରତ ସରକାରଙ୍କ ସଲିସିଟର ଜେନେରାଲ ଶ୍ରୀ ତୁଷାର ମେହେଟା ଯୋଗଦେଇ ବକ୍ତବ୍ୟ ରଖିଥିଲେ ।   

ଓଡ଼ିଶା ସରକାରଙ୍କ ମହାଧିବକ୍ତା  ଶ୍ରୀ ପିତାମ୍ବର ଆଚାର୍ଯ୍ୟ ସଭା ପରିଚାଳନା କରିଥିବା ବେଳେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ନ୍ୟାୟମୂର୍ତ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । 

ଓଡ଼ିଶା ସରକାରଙ୍କ ମହାଧିବକ୍ତାଙ୍କ କାର୍ଯ୍ୟାଳୟ ଓ ଆଇନ ବିଭାଗ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମର  ପ୍ରଥମ ଦିନ  ସୁପ୍ରିମ କୋର୍ଟର ମାନ୍ୟବର ମୁଖ୍ୟ ବିଚାରପତି, ଓଡ଼ିଶାର ମାନ୍ୟବର ରାଜ୍ୟପାଳ, ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରମୁଖ ଯୋଗ ଦେଇଥିବା ବେଳେ ଦୁଇ ଦିନ ଧରି ଏହି ସମ୍ମିଳନୀରେ ସର୍ବୋଚ୍ଚ ନ୍ୟାୟାଳୟର ବିଚାର ପତି, ଭାରତର ବିଭିନ୍ନ ରାଜ୍ୟର ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତିଙ୍କ  ସହିତ ସୁପ୍ରିମ କୋର୍ଟ, ବିଭିନ୍ନ ଉଚ୍ଚନ୍ୟାୟାଳୟର ବିଚାରପତି, ମହାଧିବକ୍ତା ଓ ଅନ୍ୟାନ୍ୟ ବିଶିଷ୍ଟ ଅତିଥିମାନେ ଯୋଗଦେଇଥିଲେ ।

Posted in Currency Top News :

You can share this post!