ରାଜସ୍ଥାନ ସଂକଟ : ବିଜୟୀ ଟିକା ପିନ୍ଧିଲା କିଏ ?
କାହିଁକି ଫେଲ ମାରିଲା ‘ଅପରେସନ କମଲ’
କମଳାକାନ୍ତ ପତି : ରାଜସ୍ଥାନରେ ଗତ ଏକ ମାସ ଧରି ଚାଲିଥିବା ରାଜନୈତିକ ଲଢେଇରେ ବିଜୟୀ ଟିକା ପିନ୍ଧିଲା କିଏ ? ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ ନା କଂଗ୍ରେସର ଯୁବନେତା ସଚିନ ପାଇଲଟ ନା ରାଜ୍ୟରେ ଅପରେସନ କମଲ ଆରମ୍ଭ କରିଥିବା ଭାରତୀୟ ଜନନା ପାର୍ଟି ? ଦୀର୍ଘ ଏକ ମାସ ଧରି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା,କଂଗ୍ରେସ ନେତା ରାହୁଲଗାନ୍ଧୀଙ୍କ ସହ ସୋମବାର ପ୍ରାୟ ୨ ଘଣ୍ଟାର ଆଲୋଚନା ପରେ ସଚିନ ପାଇଲଟ ବିଦ୍ରୋହ ତ୍ୟାଗ କରି ରାଜ୍ୟରେ କଂଗ୍ରେସ ସରକାର ହିତରେ କାର୍ଯ୍ୟ କରିବାକୁ ରାଜି ହୋଇଯିବା ପରେ ଏବେ ବିଜୟ କାହାର ସେନେଇ ପ୍ରଶ୍ନ ଉଠିଛି । କର୍ଣ୍ଣାଟକ ଓ ମଧ୍ୟପ୍ରଦେଶ ଢାଞ୍ଚାରେ ରାଜସ୍ଥାନର ଗେହଲୋତ ସରକାରର ପତନ ଘଟାଇ ବିଜେପି ସରକାର ପ୍ରତିଷ୍ଠାର ଯେଉଁ ସ୍ୱପ୍ନ ନରେନ୍ଦ୍ର ମୋଦି ଓ ଅମିତ ଶାହା ଦେଖିଥିଲେ ତାହା ଗେହଲୋତଙ୍କ ବିଚକ୍ଷଣ ଗୋଟି ଚାଳନା ଯୋଗୁଁ ବିଫଳ ହୋଇଯାଇଛି । ମଧ୍ୟପ୍ରଦେଶର କମଳମନାଥ ଯେଉଁ ବିଚକ୍ଷଣତା ଦେଖାଇ ପାରିନଥିଲେ ତାହା ଗୋହଲୋତ କରି ଦେଖାଇଲେ । ସଚିନ ପାଇଲଟ ଜାଣିଗଲେ ଯେ,ରାଜ୍ୟ ବିଧାନସଭାର ମୋଟ ୧୦୭ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ୧୮ଜଣଙ୍କୁ ନିଜ ସପକ୍ଷକୁ ଟାଣି ଆଣିଥିଲେ ମଧ୍ୟ ଗେହଲୋତଙ୍କୁ ନୁଆଁଇ ଦେବାର କ୍ଷମତା ତାଙ୍କ ଠାରେ ନାହିଁ । ତେବେ ପାଇଲଟଙ୍କୁ ବୁଝାଇବା କ୍ଷେତ୍ରରେ ରାହୁଲ ଓ ପ୍ରିୟଙ୍କା କାହିଁକି ଡେରି କଲେ , ତାଙ୍କ ଠାରୁ କାହିଁକି ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଓ କଂଗ୍ରେସ ସଭାପତି ପଦ କାଢିନିଆଗଲା , ଏବେ କେଉଁ ସର୍ତ୍ତରେ ସଚିନ ନିଜ ବିଦ୍ରୋହର ଅବସାନ ଘଟାଇଛନ୍ତି ତାହା ହଠାତ୍ ଜଣା ପଡିନାହିଁ । ଅନ୍ୟ ପକ୍ଷରେ ଗେହଲୋତ ମଙ୍ଗଳବାର ଗଣମାଧ୍ୟମକୁ ଦେଇଥିବା ଉତ୍ତରରୁ ଭିନ୍ନକଥା ଜଣା ପଡିଛି । ରାଜ୍ୟରେ କଂଗ୍ରେସ ସରକାର ପୁରା ମିଆଦ ଶାସନ କରିବ । ସେ ଯେତେଦିନ ଅଛନ୍ତି ଦଳର ଅଭିଭାବକ ହୋଇ ରହିବେ ବୋଲି କହିଛନ୍ତି ଗେହଲୋତ । ‘ଅଭିଭାବକ’ ଶଦ୍ଦଟିକୁ ଗୁରୁତ୍ୱ ଦେଇ ରାଜନୈତିକ ମହଲର ପ୍ରଶ୍ନ - ଦଳର ହାଇକମାଣ୍ଡ କ’ଣ ସଚିନ ପାଇଲଟଙ୍କ ହାତରେ ସମର୍ପଣ କରିବେ ରାଜସ୍ଥାନର ଶାସନଭାର !
ପ୍ରଥମେ ଦେଖାଯାଉ ରାଜସ୍ଥାନ ବିଜେପିର ‘ଅପରେସନ କମଲ’ର ବିଫଳତା କଥା । ବିଜେପିରେ ପ୍ରକାଶ୍ୟ ‘ହାଁଜୀ’ ହାଇକମାଣ୍ଡ ସଂସ୍କୃତି ନଥିଲେ ମଧ୍ୟ ଏବେ ମୋଦି-ଶାହାଙ୍କ ମର୍ଜିରେ ଚାଲିଛି ଦଳ । ଏହି ଦୁଇ ନେତାଙ୍କ ସିଦ୍ଧାନ୍ତ ଦଳରେ ଶିରୋଧାର୍ଯ୍ୟ । ଏହା ସତ୍ତ୍ୱେ ଦଳରେ କିଛିଟା ଅସନନ୍ତୋଷ ରହିଥିବା କଥାକୁ ଅସ୍ୱୀକାର କରାଯାଇପାରିବ ନାହିଁ । ତାହା ଅଟଳ ବିହାରୀ ବାଜପାୟୟୀଙ୍କ ଅମଳରୁ ରହିଥିଲା । ଏବେ ମୋଦିଙ୍କ ଜମାନାରେ ମଧ୍ୟ ଅଛି । ରାଜସ୍ଥାନ ବିଜେପିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କର ବେଶ ଗୁରୁତ୍ୱ ରହିଛି । କହିବାକୁ ଗଲେ ରାଜସ୍ଥାନ ବିଜେପି ବସୁନ୍ଧରାଙ୍କ ଇଙ୍ଗିତରେ ପରିଚାଳିତ ହୋଇ ଆସୁଛି । ଏହା କେନ୍ଦ୍ରୀୟ ବିଜେପି ନେତା(ମୋଦି-ଶାହା)ଙ୍କ ଦ୍ୱାରା ଗ୍ରହଣୀୟ ହୋଇ ନପାରିବାରୁ ବସୁନ୍ଧରାଙ୍କ ପକ୍ଷଛେଦନର ଚେଷ୍ଟା କରାଯାଇଥିଲା । ତେଣୁ ରାଜ୍ୟର ଅନ୍ୟତମ ବିଜେପି ସାଂସଦ ଗଜେନ୍ଦ୍ର ସିଂହ ଶେଖାୱତଙ୍କୁ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ କରିଛନ୍ତି । ଗତ ଏକମାସ ଧରି ରାଜସ୍ଥାନରେ ଯେଉଁ ‘ଅପରେସନ କମଲ’ ଚାଲିଥିଲା ତା’ର ମଙ୍ଗ ଧରିଥିଲେ ଶେଖାୱତ । ଉଦ୍ଦେଶ୍ୟ ଥିଲା ସଚିନ ଓ ତାଙ୍କ ସମର୍ଥକ ବିଧାୟକ ମାନଙ୍କୁ ଛଡାଇ ଆଣି କଂଗ୍ରେସ ସରକାରର ପତନ । ଏଥିପାଇଁ ଶେଖାୱତ କଂଗ୍ରେସ ବିଧାୟକଙ୍କ ସହ ଟେଲିଫୋନରେ ମୂଲଚାଲ କରୁଥିବା ଅଡିଓ ମଧ୍ୟ ସାମ୍ନାକୁ ଆସିଛି । ସେଥିରେ ଥିବା କଣ୍ଠସ୍ୱର ଶେଖାୱତଙ୍କର ବୋଲି ଫୋରେନସିକ୍ ରିପୋର୍ଟରୁ ମଧ୍ୟ ସ୍ପଷ୍ଟ ହୋଇଗଲାଣି । ଶେଖାୱତ ରାଜ୍ୟ କଂଗ୍ରେସ ସରକାରକୁ ଭାଙ୍ଗି କେନ୍ଦ୍ରୀୟ ବିଜେପିରେ ତାଙ୍କର ପତିଆରା ବଢାଇବାକୁ ଚାହୁଁଥିଲେ । ମାତ୍ର ବସୁନ୍ଧରା ସେହି ଷଡଯନ୍ତ୍ରକୁ ମାଟିରେ ମିଶାଇଦେଲେ । ବାସ୍ତବ କଥା ହେଉଛି ବସୁନ୍ଧରାଙ୍କ ପ୍ରତି ବିଜେପିର ୭୨ ବିଧାୟକଙ୍କ ମଧ୍ୟରୁ ଅଧାରୁ ଅଧିକ ବିଧାୟକଙ୍କର ଆନୁଗତ୍ୟ ରହିଛି । ଗେହଲୋତ ସରକାର ଭାଙ୍ଗିବା ପାଇଁ ହେଉଥିବା ଉଦ୍ୟମରେ ବସୁନ୍ଧରାଙ୍କର ସହମତି ନଥିବାରୁ ବିଜେପି ବାଧ୍ୟ ହୋଇ ସେଥିରୁ ଓହରିଗଲା । ପଦାରେ ପଡିଗଲେ ଶେଖାୱତ ।
ରାଜସ୍ଥାନର ରାଜନୈତିକ ସଂଗ୍ରାମରେ ବିଜେପିର ପରାଜୟ ହୋଇଛି ସତ୍ୟ ମାତ୍ର ଗେହଲୋତଙ୍କର ବିଜୟ ହୋଇଛି ବୋଲି ଛାତିରେ ହାତରଖି କୁହାଯାଇପାରିବ ନାହିଁ । କାରଣ ଯେଉଁ ସଚିନ ପାଇଲଟଙ୍କୁ ସେ ‘ନିକମ୍ମା’, ‘କାମଚୋର’ ଓ ‘ବିଭାଜନକାରୀ’ ବୋଲି କହି ଗାଳି ଦେଉଥିଲେ ଏବେ ହାଇକମାଣ୍ଡଙ୍କ ନିର୍ଦ୍ଦେଶରେ ତାଙ୍କୁ କୋଳେଇ ନେବାକୁ ପଡିବ । ସରକାର ବଞ୍ଚାଇବା ତାଙ୍କ ପାଇଁ ବାଧ୍ୟ ବାଧକତା । ଠିକ ସେହିପରି ଦୀର୍ଘ ଏକମାସ ଧରି ବିଦ୍ରୋହ କରି ଏଥର ଆର ୟା ପାର ବୋଲି ହୁଙ୍କାର ଦେଉଥିବା ପାଇଲଟ ଯେ ବିଜୟ ହେଲେ ତାହା ମଧ୍ୟ କୁହାଯାଇପାରିବ ନାହିଁ । କାରଣ ସସେ ଯେଉଁ ଦାବି ନେଇ ବିଦ୍ରୋହ କରୁଥିଲେ ତାହା ତୁରନ୍ତ ପୂରଣ ହୋଇଯିବାର ଆଶା କରାଯାଇପାରୁନାହିଁ । ତାଙ୍କୁ ମଧ୍ୟ ହାଇକମାଣ୍ଡଙ୍କ ପ୍ରତିଶୃତି ପୂରଣ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ । ଏସବୁକୁ ତର୍ଜମା କଲେ ଗୋଟିଏ ନିର୍ଯ୍ୟାସରେ ପହଞ୍ଚିବାକୁ ପଡିଛି ଯେ,ରାଜସ୍ଥାନରେ ଦୀର୍ଘ ଏକମାସ ଧରି ଚାଲିଥିବା ରାଜଜନୈତିକ ସଂଘର୍ଷ କାହା ମୁଣ୍ଡରେ ବିଜୟର ଟିକା ପିନ୍ଧାଇ ନାହିଁ । ତେବେ ଚୁଡାନ୍ତ ଫଳାଫଳ ପାଇଁ ଅଗଷ୍ଟ୧୪ ପରର ଶକ୍ତି ପରୀକ୍ଷା ଓ ତତ୍ ପରବର୍ତ୍ତି ସମୟକୁ ଅପେକ୍ଷା କରିବାକୁ ପଡିବ । ଗେହଲୋତ ମଙ୍ଗଳବାର କହିଥିବା କଥା ଅନୁଯାଇ ଯଦି ଦଳର ଅଭିଭାବକ ହୋଇ ରୁହନ୍ତି ତେବେ ସଚିନ ପାଇଲଟଙ୍କ ମୁଣ୍ଡରେ ମୁଖ୍ୟମନ୍ତ୍ରୀ ଶିରିପା ବନ୍ଧାଯାଇ ପାରେ !